ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦୁଷ୍କର୍ମ ଅଭିଯୋଗରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ବାଲେଶ୍ବରରେ ସେ ଆତ୍ମଗୋପନ କରିଥିଲା ବେଳେ ପୋଲିସ ଗିରଫ କରିଛି । ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଗତକାଲି ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଥିଲା । ଗିରଫ ହୋଇଥିବା ଭିଯୁକ୍ତମାନେ ହେଲେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨), ଚିନ୍ତାମଣିଶ୍ବର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫)ଓ ସୁମନ କୁମାର ସାହୁ(୨୭) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫)। ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜନୈକ ଯୁବତୀ ଅମରେଶଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଗିରଫ ଭୟରେ ଅଭିଯୁକ୍ତ ଅମରେଶ ଜେନା ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ।
ପୋଲିସ ତାଙ୍କ ମୋବାଇଲକୁ ଟ୍ରାକିଂ କରିବା ସହିତ ସେ କେଉଁଠାରେ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ମୋବାଇଲ ଟ୍ରାକିଂ ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପରେ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
ଗତକାଲି ପୀଡ଼ିତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କେସ ଉଠାଇବାକୁ ପୋଲିସ ତାଙ୍କ ଉପରେ ଚାପ ପକାଉଥିବା ସେ ଭିଡିଓ ମାଧ୍ୟମରେ ପ୍ରକାଶ କରିଥିଲେ । ପୁଲିସ କାହିଁକି ଅମରେଶଙ୍କୁ ଗିରଫ କରୁନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଉଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ, ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ନ୍ୟାୟ ନ ପାଇ ସେ ଆତ୍ମହତ୍ୟା କଲେ କେହି ମହମବତି ଶୋଭାଯାତ୍ରା କରିବେ ନାହିଁ ବୋଲି ମଧ୍ୟ ଭିଡିଓ ମାଧ୍ୟମରେ ନିବେଦନ କରିଥିଲେ ଯୁବତୀ ଜଣକ ।

ଆଜି ଅମରେଶଙ୍କୁ ପୋଲିସ ଗିରଫ କରିବା ପରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି ।