ଓଡ଼ିଶା ଲିଡ୍ସ(ବ୍ୟୁରୋ):ବିଜୟ ମହାପାତ୍ର ରାଜ୍ୟ ରାଜନୀତିର ଅନ୍ୟତମ ପୁରୁଖା ଚେହେରା। ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଓ ବିଶ୍ୱସ୍ଥ ରାଜନେତା । ଏକଦା ନବୀନଙ୍କ ରାଜନୈତିକ ମାଷ୍ଟର ଷ୍ଟ୍ରୋକରେ ଧରାଶାୟୀ ହୋଇ ଦଳରୁ ନିନ୍ଦିତ ହୋଇ ଦଳ ଛାଡିଥିଲେ । ବିଜେଡି ଛାଡିବା ପରେ ନିଜେ ଏକ ଦଳ ଓଡ଼ିଶା ଗଣ ପରିଷଦ ଗଠନ କରିଥିଲେ । ତାଙ୍କ ଦଳ ରାଜ୍ୟର ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିଲା ବେଳେ ବିଜୟ କିନ୍ତୁ ପରାଜିତ ହୋଇଥିଲେ । ଏହା ପରେ ୨୦୦୯ ମସିହାରେ ବିଜେପିରେ ସାମିଲ ହୋଇ ଦୁଇ ଦୁଇଥର ପାଟକୁରା ଓ ମହାକାଳପଡା ରୁ ପରାଜିତ ହୋଇଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ୨୦୧୮ ମସିହାରେ ବିଜେପି ଦଳ ଛାଡିଥିଲେ । ପୁନର୍ବାର ୨୦୧୯ ରେ ବିଜେପିରେ ସାମିଲ ହୋଇଥିଲେ । ହେଲେ ୨୦୨୪ ମସିହାରେ ବିଜେପି ତାଙ୍କୁ ଦଳ ଵିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛି । ନିଜର ଶାଣିତ ସ୍ୱର ପାଇଁ ସବୁ ସମୟରେ ଚର୍ଚ୍ଚାରେ ରହୁଥିବା ବିଜୟ ମହାପାତ୍ରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଦୀର୍ଘ ୨୫ ବର୍ଷ ପରେ ବିଜୟ ବିଜେଡିକୁ ଫେରିବା ନେଇ ରାଜନୈତିକ ଚର୍ଚ୍ଚା ଘୁରି ବୁଲୁଛି । ଯେଉଁ ଦଳ ଦିନେ ତାଙ୍କୁ ନିନ୍ଦା ଦେଇ ଦଳରୁ ବିଦା କରିଥିଲା ସେ ପୁଣି କଣ ସେଇ ଦଳକୁ ଫେରିବେ କି, ଏଭଳି ଚର୍ଚ୍ଚା ସୃଷ୍ଟି ହୋଇଛି । ବିଜେଡି ସରକାରରୁ ବିଦା ହେଲା ପରେ ଦଳ ଏବେ ସଙ୍କଟ ଦେଇ ଗତି କରୁଛି । ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିଥିବାବେଳେ ଦିନେ ଅଣଦେଖା ହେଉଥିବା ବରିଷ୍ଠ ନେତାଙ୍କୁ ଏବେ ଦଳ ଖୋଜିବା ଆରମ୍ଭ କରିଛି । ଅନୁଭବୀ ବିଜୟ ଦଳର ସ୍ଥିତି ସୁଧାରୀ ପାରିବେ ବୋଲି ବିଜେଡି ଆଶା କରିଛି । ୨୦୨୪ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ ପାଟକୁରାରୁ ବିଜୟୀ ହୋଇଛନ୍ତି । ବିଜୟ ମହାପାତ୍ର ବିଧିବଦ୍ଧ ଭାବେ କେବେ ବିଜେଡିକୁ ଫେରିବେ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ବିଜେଡି ଯେ ଆଗକୁ ତାଙ୍କୁ ଦଳରେ ସାମିଲ କରିବା ପାଇଁ ଯୋଜନା କରୁଛି ତାହା ଧିରେ ଧିରେ ସ୍ପଷ୍ଟ ହେଉଛି ।
