ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକ କଳାମାଟିଆ ପଞ୍ଚାୟତର ତଳ କାଇପଡାରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୭ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୪ଟି ଗାଈ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆଜି ବିନୋଦ ଦାସଙ୍କ ଗୋରୁ ଗୁହାଳରେ ନିଆଁ ଲାଗିଥିଲା । ଏହି ନିଆଁ ତାଙ୍କର ୩ବଖରା ବାସଗୃହକୁ ବ୍ୟାପି ଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାସ ପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି। ବିନୋଦଙ୍କ ଘରକୁ ଲାଗିଥିବା ବଳଭଦ୍ର ଦାସଙ୍କ ୪ ବଖରା ଘର ସହିତ ସମସ୍ତ ଆସବାବ ପତ୍ର ମଧ୍ୟ ପୋଡି ପାଉଁଶ ହୋଇ ଯାଇଛି। ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିଲେ । ଅଗ୍ନିକାଣ୍ଡରେ ଅସହାୟ ହୋଇ ପଡ଼ିଥିବା ଦୁଇ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।




















