ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର ସର୍ବାଧିକ ବ୍ୟସ୍ତ ବହୁଳ ରାସ୍ତାର ମାନ୍ୟତା ପାଇଛି ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତା । ଏହି ରାସ୍ତା ଉପରେ ବରୀ ବ୍ଳକର ୨୯ ପଞ୍ଚାୟତର ଜନ ସାଧାରଣ ନିର୍ଭରଶୀଳ । ଦୈନିକ ଶହ ଶହ ସଂଖ୍ୟାରେ ବଡ଼ ଓ ଛୋଟ ଗାଡି ଏହି ରାସ୍ତା ଦେଇ ଗତାଗତ କରୁଛି । ରାସ୍ତାର ଉଭୟ ପଟରେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ରହିଛି । ଏବେ ଏହି ରାସ୍ତାର ବରୀ ମାଉଣ୍ଡ ଠାରୁ ଦରଘା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହେଉଛି । ରାସ୍ତା ସମ୍ପ୍ରସାରଣ ସମୟରେ ଏହି ରାସ୍ତାର ୨ଶହ ମିଟର ରାସ୍ତା ସମ୍ପ୍ରସାରଣ ହୋଇ ପାରି ନଥିବା ଦେଖିବାକୁ ମିଳିଛି । କେଉଁ କାରଣ ପାଇଁ ଏହି ଦୁଇଶହ ମିଟର ରାସ୍ତା ସମ୍ପ୍ରସାରଣ ହୋଇ ପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୂର୍ବରୁ ଏହି ରାସ୍ତା ଜଳ ସଂପଦ ବିଭାଗ ଅଧିନରେ ଥିଲା ବେଳେ ଏବେ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଯେଉଁ ଦୁଇଶହ ମିଟର ରାସ୍ତା ସମ୍ପ୍ରସାରଣ ହୋଇ ନାହିଁ ସେଠାରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି । ପାଗ ବଦଳି ଥିବାରୁ ଖୁବ ଶିଘ୍ର ଏହି ରାସ୍ତା ପିଚୁ କାମ ଆରମ୍ଭ ହେବ । ଏହା ପୂର୍ବରୁ ବିଭାଗ ପକ୍ଷରୁ ଦରଘା ପୂର୍ବରୁ ଅଟକିଥିବା ଦୁଇଶହ ମିଟର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପକ୍ଷରେ ଏ ନେଇ ଜିଲ୍ଲାପାଳ ପଦକ୍ଷେପ ନେବାକୁ ବରିଷ୍ଠ ସମାଜସେବୀ ଲାଲ ବିହାରୀ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଲଭ ବେଉରିଆ, ଫକୀର ସିଂ, ତନ୍ମୟ କୁମାର ବେଉରିଆ ପ୍ରମୁଖ ଦାବି କରିଛନ୍ତି ।




















