ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରକାର ପରିବର୍ତ୍ତନ ହୋଇଛି । ବିଜେପିର ଡବଲ ଇଞ୍ଜିନ ସରକାର ଏବେ କେନ୍ଦ୍ର ସହିତ ରାଜ୍ୟରେ ଶାସନ ଭାର ଗ୍ରହଣ କରିଛି । ସରକାର ପରିବର୍ତ୍ତନ ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ଯେଉଁ ଉତ୍ସାହ ଓ ଖୁସି ଥିଲା ତାହା ମଉଳି ମଉଳି ଯାଉଛି । ଆଉ ଏହା ପଛରେ ରହିଛି ଠିକାଦାରୀ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ଦ୍ୱାରା ବିଜେଡିର କର୍ମୀ ଓ ନେତା ଠିକାଦାରୀ କରି ବେଶ ଲାଭ କମାଇଥିଲେ । କିଛି ଠିକାଦାର ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ବେଶ ପ୍ରଭାବଶାଳୀ ହୋଇ ଯାଇଥିଲେ । କିଛି ଠିକାଦାରଙ୍କ ଉପରେ ବିଭିନ୍ନ ନେତା ଓ ଅଧିକାରୀଙ୍କ ଆଶିର୍ବାଦ ରହିବା ସେମାନଙ୍କୁ ମାଟିରୁ ଆଣି ଆକାଶରେ ପହଞ୍ଚାଇ ଦେଇଥିଲା । ସରକାର ବଦଳିବା ପରେ ବିଜେପିକୁ ସମର୍ଥନ କରୁଥିବା କର୍ମୀ ଓ ଠିକାଦାର ବିଭିନ୍ନ ବିଭାଗରେ ଠିକା କାମ କରି ବିପୁଳ ଅର୍ଥ ରୋଜଗାର କରିବାର ସ୍ୱପ୍ନ ଦେଖୁଥିଲେ । ହେଲେ ସରକାର ବଦଳିବାର ୧୦ ମାସ ପରେ ଠିକାଦାରୀକୁ ନେଇ ବିଜେପି ଦଳରେ ଅସନ୍ତୋଷ ତୀବ୍ର ହେଲାଣି । ଆଶା ବାନ୍ଧିଥିବା କର୍ମୀଙ୍କ ସ୍ୱପ୍ନ ମଉଳିବା ଆରମ୍ଭ କଲାଣି । ସରକାର ପରିବର୍ତ୍ତନ ପରେ ବିଜେଡି ଦଳର ଆଗଧାଡ଼ିର ଠିକାଦାର ଏବେ ବିଜେପି ଶିବିରରେ ସାମିଲ ହୋଇ ସାରିଲେଣି ।
ଅନ୍ୟପକ୍ଷରେ ବିଜେପିର ନେତା ମାନେ ବି ଏହି ବାହୁବଳୀ ଠିକାଦାର ମାନଙ୍କୁ କୋଳେଇ ନେବାରେ ଅବହେଳା କରୁ ନାହାନ୍ତି । ବିଜେପି କର୍ମୀ ଏହାକୁ ବିରୋଧ କଲେ ମଧ୍ୟ ନେତାଙ୍କ ଉପରେ ଏହାର ସମାନ୍ୟତମ ପ୍ରଭାବ ପଡୁନାହିଁ । ବିଜେପି ନେତା ଭାବୁଛନ୍ତି ଏହି ଠିକାଦାର ମାନେ ଆମ ସହିତ ସାମିଲ ହେଲେ ବିଜେଡି କ୍ଷତିଗ୍ରସ୍ତ ହେବ । ଏହା ଛଡା ଏହି ଠିକାଦାର ମାନେ ବିଭିନ୍ନ ନେତାଙ୍କୁ ବିପୁଳ ଅର୍ଥ ଦେଇ ବଶ କରିବାରେ ମଧ୍ୟ ସକ୍ଷମ ହେଉଛନ୍ତି । ହେଲେ ବିଜେଡିର ଯେଉଁ ଠିକାଦାର ବିଜେପିରେ ସାମିଲ ହେଉଛନ୍ତି ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କିନ୍ତୁ ଭିନ୍ନ । ନେତାଙ୍କୁ ଅର୍ଥ ଦେଇ, ବିଭିନ୍ନ ଉପାୟରେ ବଶ କରି ଠିକା କାର୍ଯ୍ୟ କରିବା ଏମାନଙ୍କ ଉଦ୍ଦେଶ୍ୟ । ନିଜର ଏହି ଉଦ୍ଦେଶ୍ୟରେ ସଫଳ ମଧ୍ୟ ହେଉଛନ୍ତି ଠିକାଦାର । ଫଳରେ ବିଜେପିରେ ରହି ଦୀର୍ଘ ବର୍ଷ ହେଲା ଦଳ କାର୍ଯ୍ୟ କରିଥିବା କର୍ମୀ କିନ୍ତୁ କାମ ପାଉ ନାହାଁନ୍ତି । ଫଳରେ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବିଜେଡିର ଏହି ଠିକାଦାର ମାନେ ବିଜେଡି ଛାଡିବା ଫଳରେ ବିଗତ ଦିନରେ ଏମାନଙ୍କୁ ବିରୋଧ କରୁଥିବା ଭୋଟର ଓ କର୍ମୀ ବିଜେଡି ଆଡ଼କୁ ଢ଼ଳୁଥିଲା ବେଳେ ବିଜେଡି ଠିକାଦାରଙ୍କ ପାଇଁ ବିଜେପିରେ ବିଶୃଙ୍ଖଳା ଦେଖା ଦେଲାଣି । ଯାହା ଦଳୀୟ ସଂଗଠନ ପ୍ରତି ବିପଦ ହେବାକୁ ଯାଉଛି । ଏ ନେଇ ଦଳ ଓ ଦଳୀୟ ନେତା ସତର୍କ ନ ହେଲେ ଆଗକୁ ବିଜେପିରେ ଦେଖା ଦେଇଥିବା ଅସନ୍ତୋଷ ଆହୁରି ଉଗ୍ର ହେବ ଏଥିରେ ସନ୍ଦେହ ନାହିଁ ।
