ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ନୂଆ ବିଜେପି ସରକାରକୁ ଏକ ବର୍ଷ ପୁରିଯାଇଛି । ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସି ସରକାରକୁ ବେଶ ପ୍ରଶଂସା କରିଛନ୍ତି । ଏକ ବର୍ଷ ମଧ୍ୟରେ ସରକାର ରାଜ୍ୟରେ ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ମୋଦୀ ବେଶ ପ୍ରଶଂସା କରିଛନ୍ତି । ମୋଦୀ ନିଜ ଭାଷଣରେ ପୁରୁଣା ସରକାର ସମୟରେ ରାଜ୍ୟର ବିଭିନ୍ନ ବର୍ଗ ଅବହେଳିତ ହୋଇଥିଲେ ବୋଲି କହିଛନ୍ତି । ହେଲେ ନିଜ ଭାଷଣରେ ମୋଦୀ କିନ୍ତୁ କଂଗ୍ରେସ ଉପରେ ବେଶ ବର୍ଷିଛନ୍ତି । ରାଜ୍ୟରେ ମୁଖ୍ୟ ଵିରୋଧି ଦଳ ହେଉଛି ବିଜୁ ଜନତା ଦଳ।
ଦଳ ଗତ ୨୪ ବର୍ଷ ହେଲା ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲା । ଏବେ ମଧ୍ୟ ବିଜୁ ଜନତା ଦଳ ପ୍ରମୁଖ ଵିରୋଧି ଦଳ ହୋଇଛି ବିଧାନସଭାରେ । ଦଳର ବିଧାୟକ ସଂଖ୍ୟା ମଧ୍ୟ କମ ନୁହେଁ । ହେଲେ ମୋଦୀ କଂଗ୍ରେସକୁ ଯେଉଁ ଢଙ୍ଗରେ ଆକ୍ଷେପ କଲେ ମୁଖ୍ୟ ଵିରୋଧି ଦଳ ବିଜେଡିକୁ ସେଇ ଢଙ୍ଗରେ କାହିଁକି ଆକ୍ଷେପ କଲେ ନାହିଁ ତାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି । ରାଜ୍ୟ ଶାସନରୁ ଦୀର୍ଘ ୨୫ ବର୍ଷ ହେଲା କଂଗ୍ରେସ ମଧ୍ୟ ଦୁରେଇ ରହିଛି । କଂଗ୍ରେସର ବିଧାୟକ ସଂଖ୍ୟା ମଧ୍ୟ କମ । ହେଲେ ମୋଦୀ କାହିଁକି କଂଗ୍ରେସକୁ ତୀବ୍ର ଆକ୍ଷେପ କଲେ । ବୋଧ ହୁଏ କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ବିଜେପିକୁ କଂଗ୍ରେସ ଭୟ ଗୋଡାଉଛି । ଏହି ଭୟର କାରଣ ମଧ୍ୟ ରହିଛି ।
ଏକ ବର୍ଷ ମଧ୍ୟରେ ରାଜ୍ୟରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ଅତ୍ୟାଚାର ବଢିବା ସହିତ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳାରେ ବ୍ୟାପକ ଅବନତି ହୋଇଛି । ଏହାକୁ ପ୍ରମୁଖ ଅସ୍ତ୍ର କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ସଙ୍ଗଠିତ ମଧ୍ୟ ହେଉଛି । କିଛି ଦିନ ହେଲା କଂଗ୍ରେସକୁ କ୍ଷତି ପହଞ୍ଚାଇଥିବା ଗୋଷ୍ଠି କନ୍ଦଳ ଏବେ ଥମିଥିବା ଦେଖା ଯାଉଛି । ହେଲେ ପ୍ରମୁଖ ଵିରୋଧି ଦଳ ବିଜେଡି ଯେଉଁ ଢଙ୍ଗରେ ସରକାରକୁ ବିରୋଧ କରିବା କଥା ସେଭଳି ଢଙ୍ଗରେ ବିରୋଧ କରିବା ଦେଖିବାକୁ ମିଳୁନାହିଁ । କେତେ ଜଣ ହାତ ଗଣତି ବିଜେଡି ନେତାଙ୍କୁ ଛାଡି ଦେଲେ ସର୍ବାଧିକ ବିଜେଡି ନେତା ଆକ୍ରମଣାତ୍ମକ ଆଭିମୁଖ୍ୟରୁ ଦୁରେଇ ରହିଛନ୍ତି । ଏପରି ସ୍ଥଳେ କଂଗ୍ରେସ ପ୍ରଭାବୀ ଢଙ୍ଗରେ ସରକାରକୁ ବିରୋଧ କରୁଛି । ଅନ୍ୟ ପକ୍ଷରେ ଲୋକଙ୍କ ଆଶାର ବିପରୀତ ଦିଗରେ ଯାଇ ବିଜେପି ମଧ୍ୟ ବିଜେଡି ବିରୁଦ୍ଧରେ ନରମ ଆଭିମୁଖ୍ୟ ଗ୍ରହଣ କରିଛି ।
ଯାହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଏବେ ବି ବିଗତ ଦିନର ସମ୍ପର୍କ ମଜବୁତ ଥିବା ଧାରଣା ଦୃଢ଼ ହେଉଛି । ଏପରି ସ୍ଥିତିରେ ରାଜ୍ୟରେ କଂଗ୍ରେସ ଉପରେ ଲୋକଙ୍କ ଭରସା ଫେରୁଥିବା ଆଲୋଚନା ହେଉଛି । ଗୋଟିଏ ପଟେ ଭକ୍ତଙ୍କ ନେତୃତ୍ୱରେ କଂଗ୍ରେସ ସଙ୍ଗଠିତ ହେବା, ଅନ୍ୟ ପଟେ ବିଜେଡିର ବିଜେପି ପ୍ରତି ଓ ବିଜେପିର ବିଜେଡି ପ୍ରତି ନରମ ଆଭିମୁଖ୍ୟ ଲୋକ ମତକୁ ପ୍ରଭାବିତ କରୁଛି । ଏପରି ସ୍ଥଳେ ଆସନ୍ତା ଜୁଲାଇ ମାସ ୯ ତାରିଖ ଦିନ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ କରୁଥିବା ପିସିସି ସଭାପତି ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ପରେ ରାହୁଲ ଓଡ଼ିଶା ଗସ୍ତ କରୁଥିଲା ବେଳେ ତାଙ୍କ ସହିତ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗଗେ ମଧ୍ୟ ଓଡ଼ିଶା ଆସୁଛନ୍ତି ।
ରାହୁଲ ଓ ଖଡ୍ଗଗେ ବିଜେପି ପ୍ରତି କଠୋର ଆଭିମୁଖ୍ୟ ଦେଖାଇବେ ଏହା ନିଶ୍ଚିତ, ହେଲେ ବିଜେଡି ପ୍ରତି ରାହୁଲ କି ଆଭିମୁଖ୍ୟ ପ୍ରକାଶ କରିବେ ତା ଉପରେ ରାଜ୍ୟ କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ରାଜନୈତିକ ବ୍ୟକ୍ତି ମତ ଦେଇଛନ୍ତି ।