ଓଡ଼ିଶା ଲିଡ୍ସ(ଯାଜପୁର): ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ନେତୃମଣ୍ଡଳୀ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଏ ନେଇ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ମଧ୍ୟ ଦେଇଛନ୍ତି ନେତୃମଣ୍ଡଳୀ । ଦାବି ଗୁଡିକ ମଧ୍ୟରେ ବର୍ତ୍ତମାନ ଖରାଦିନ ଯୋଗୁ ବହୁ ଲୋକ ପାନୀୟ ଜଳ ପାଇଁ ଦହଗଞ୍ଜ ହେଉଛନ୍ତି । ଏ ନେଇ ତୁରନ୍ତ ଯାଜପୁର ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଥିବାରୁ ଚାଷୀ ବିପୁଳ କ୍ଷତି ସହୁଛନ୍ତି । ଏ ନେଇ କିଛି ପଦକ୍ଷେପ ନନେଇ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଉପହାସ କରୁଥିବା କହିଛନ୍ତି ବିଜେଡି ନେତୃବୃନ୍ଦ । ଏ ନେଇ ପଦକ୍ଷେପ ନେବା ସହିତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ହୋଇଛି ।ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଭୁଷୁଡି ପଡିଛି । ଚୋରି, ଡକାୟତି, ରାହାଜାନୀ ଦିନକୁ ଦିନ ବଢି ଚାଲିଛି । ହେଲେ ପୋଲିସ ପଦକ୍ଷେପ ନେବା ବଦଳରେ ଚୁପ ବସିଥିବା ଅଭିଯୋଗ ହୋଇଛି । ଥାନା ଗୁଡିକ ଏବେ ବିଜେପିର ଦଳୀୟ କାର୍ଯ୍ୟାଳୟ ପାଲଟିଛି ଓ ବିଜେପି କର୍ମୀଙ୍କ ଇଶାରାରେ ଥାନା ପରିଚାଳିତ ହେଉଛି । ମୋରମ, ବାଲି ମାଫିଆଙ୍କ ଯୋଗୁ ରାଜସ୍ୱ କ୍ଷତି ହେବା ସହ ପ୍ରଦୂଷଣ ବୃଦ୍ଧି ପାଇଛି ।
ପୂର୍ବ ସରକାର ସମୟରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକୁ ଜାଣିଶୁଣି ଆରମ୍ଭ କରା ଯାଉନାହିଁ ବୋଲି ଅଭିଯୋଗ ହେବା ସହିତ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଥିଲା । ସୁକିନ୍ଦାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନିକଟରେ ଏକ ପ୍ରମୁଖ ଗଣ ମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଉଦବେଗ ପ୍ରକାଶ କରିଥିଲେ । କଳିଙ୍ଗ ନଗରରେ ମାଓବାଦୀଙ୍କ ଉପସ୍ଥିତି ନେଇ ଖବର ପ୍ରକାଶ ପରେ ସାଧାରଣରେ ଆତଙ୍କ ପ୍ରକାଶ ପାଇଥିବା ସେ ପ୍ରକାଶ କରିଥିଲେ । ଏହା ଦ୍ୱାରା ଶିଳ୍ପାୟନ ପ୍ରଭାବିତ ହେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିବା ସହିତ ଏ ନେଇ ପ୍ରଶାସନ ସଜାଗ ହୋଇ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । ଏହା ସହିତ କଳିଙ୍ଗ ନଗରର ବିଭିନ୍ନ ସମସ୍ୟା ନେଇ ମଧ୍ୟ ଆଲୋଚନା କରିଥିଲେ । ଆଜି ଏହି ସମୟରେ ବିଜୁ ଜନତା ଦଳ ବରିଷ୍ଠ ନେତ୍ରୀ ତଥା ଵିରୋଧି ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
