ଓଡ଼ିଶା ଲିଡ୍ସ(ଯାଜପୁର): ମହାନ ସ୍ୱାଧୀନତା ସଂଗ୍ରାମୀ, ଜନ ନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୋଟି ଓଡ଼ିଆର ପ୍ରାଣର ସ୍ପନ୍ଦନ ବିଜୁ ପଟ୍ଟନାୟକ । ଯାହାଙ୍କ ନାମ ହିଁ ତାଙ୍କ ପରିଚୟ । ହେଲେ ବିଡ଼ମ୍ବନା ତାଙ୍କ ବିଶାଳ ପ୍ରତିମୂର୍ତ୍ତି ଅନ୍ଧାରରେ ରହୁଛି । ଏହା ଆଉ କେଉଁ ଠାରେ ନୁହେଁ ଯାଜପୁର ଜିଲ୍ଲା ମୁଖ୍ୟାଳୟ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ସମ୍ମୁଖରେ । ଯେଉଁଠି ମହାବିଦ୍ୟାଳୟରେ ସଞ୍ଜ ନଇଁଲେ ଆଲୋକ ଜଳି ଉଠୁଛି ସେଠି ବିଜୁ ବାବୁଙ୍କ ମୂର୍ତ୍ତି ଅନ୍ଧାରରେ ବୁଡି ଯାଉଛି । ନିକଟ ଅତୀତରେ ବିଜୁ ବାବୁଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ଦେଖା ଦେଇଥିଲା । ହେଲେ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀରେ ଏହାର ଭବ୍ୟ ଲୋକାର୍ପଣ ହୋଇଥିଲା । ହେଲେ ବିଜୁ ବାବୁଙ୍କ ଭଳି ଜଣେ ମହାନ ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀ, ଜନ ନାୟକଙ୍କ ପ୍ରତିମୂର୍ତ୍ତି ରାତିର ଅନ୍ଧାରେ ବୁଡିଯିବାକୁ ବୁଦ୍ଧିଜୀବି ନାପସନ୍ଦ କରିଛନ୍ତି । ଏହି ସ୍ଥାନକୁ ପ୍ରଶାସନ ପକ୍ଷରୁ ତୁରନ୍ତ ଆଲୋକିତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।
