ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଥିଲା ଗୁରୁବାର । ହେଲେ ଆଜିର ଏହି ଦିନ ବେଶ ଅଶୁଭ ସାବ୍ୟସ୍ତ ହୋଇଛି । ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ଜଣଙ୍କୁ ଛାଡିଦେଲେ ଅବଶିଷ୍ଠ ୨୪୧ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୮୭-୮ ଡ୍ରିମ ଲାଇନର ଯାତ୍ରୀବାହୀ ବିମାନ ଆଜି ମଧ୍ୟାହ୍ନରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖଗେ ଉଡାଣ ଭରିଥିଲା । ମାତ୍ର ୫ ମିନିଟ ମଧ୍ୟରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ବିମାନ ବନ୍ଦର ନିକଟରେ ଥିବା ମେଘାଣୀ ନଗର ଅଞ୍ଚଳରେ ଖସି ପଡି ଜଳି ଯାଇଥିଲା । ବିମାନଟି ମେଘାଣୀ ନଗରରେ ଥିବା ବି.ଜେ. ମେଡିକାଲ କଲେଜ ହଷ୍ଟେଲରେ ମାଡ଼ ହୋଇ ଜଳି ଯାଇଥିଲା । କିଛି କ୍ଷଣ ମଧ୍ୟରେ ଏହି ଅଞ୍ଚଳ ଧୂଆଁ ମୟ ହୋଇ ଯାଇଥିଲା । ଦୁର୍ଘଟଣା ଗ୍ରସ୍ତ ବିମାନରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ରିୟୁ ମେମ୍ବରଙ୍କ ସମେତ ମୋଟ ୨୪୨ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ରମେଶ ବିଶ୍ୱାସ କୁମାର ନାମକ ଜଣେ ଯାତ୍ରୀ ଆଶ୍ଚର୍ଯ୍ୟ ଜନକ ଭାବେ ବଞ୍ଚି ଯାଇଥିବା ବେଳେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କର ମୃତ୍ୟୁ ଘଟିଥିବା ଅହମଦାବାଦ ପୋଲିସ କମିଶନର ସୂଚନା ଦେଇଛନ୍ତି । ବଞ୍ଚି ଯାଇଥିବା ଯାତ୍ରୀ ଜଣକଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଦୁର୍ଘଟଣା ସମୟରେ ବି.ଜେ. ମେଡ଼ିକାଲ କଲେଜର ଛାତ୍ରଛାତ୍ରୀ ମାନେ ହଷ୍ଟେଲ କ୍ୟାଣ୍ଟିନରେ ମଧ୍ୟାହ୍ନ ଭୋଜନ କରୁଥିଲେ । ବିମାନଟି ସେହି କୋଠାରେ ପିଟି ହୋଇ ଜଳି ଯାଇଥିଲା । ଫଳରେ ମେଡ଼ିକାଲ କଲେଜର ବହୁ ଲୋକ ଆହତ ହୋଇଥିବା ବେଳେ ଜଣେ ପିଜି ଓ ୪ ଜଣ ୟୁଜି ଡାକ୍ତରଙ୍କ ସମେତ ମୋଟ ୫ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ବିମାନରେ ୧୬୯ ଜଣ ଭାରତୀୟ ନାଗରିକଙ୍କ ସହିତ ୫୩ ଜଣ ବ୍ରିଟିଶ୍ ନାଗରିକ, ୭ ଜଣ ପର୍ତ୍ତୃଗୀଜ୍ ଏବଂ ଜଣେ କାନାଡ଼ାର ନାଗରିକ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ମାଲିକ ଟାଟା ଗ୍ରୁପ ପକ୍ଷରୁ ସମସ୍ତ ମୃତ ଯାତ୍ରୀଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା ସହିତ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରାଯାଇଛି । ଅନ୍ୟ ପକ୍ଷରେ ମେଡ଼ିକାଲ କଲେଜର କ୍ଷତିଗ୍ରସ୍ତ ହୋଇଥିବା କୋଠାକୁ ମରାମତି କରିବାକୁ ଟାଟା ପ୍ରତିଶୃତି ଦେଇଛି । ଏହି ବିମାନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକ ପ୍ରକାଶ ପାଇଛି ।
