ଓଡ଼ିଶା ଲିଡ୍ସ(ଯାଜପୁର): ଐତିହାସିକ, ସାଂସ୍କୃତିକ ସହର ଯାଜପୁର । ରାଜ୍ୟର ଏହି ପୁରାତନ ରାଜଧାନୀରେ ରହିଛି ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ମାଙ୍କ ଦର୍ଶନ ପାଇଁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ଶ୍ରଦ୍ଧାଳୁ ସହରକୁ ଆସନ୍ତି । ଏହା ସହିତ ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିରରେ ଦେବଦେବୀଙ୍କ ଦର୍ଶନ କରନ୍ତି ।
ବିଗତ ଦିନରେ ସହରର ବ୍ୟାପକ ବିକାଶ କାର୍ଯ୍ୟ ହୋଇଛି । ସହରକୁ ଆକର୍ଷଣୀୟ କରିବା ସହିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ କୁସୁମା ପୋଖରୀର ପୁନରୁଦ୍ଧାର କରାଯାଇ ତାକୁ ନୂଆ ରୂପରେ ସଜା ଯାଇଛି । ନିର୍ମାଣ ସମୟରୁ ବିବାଦ ଓ ନିର୍ମାଣ ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା କୁସୁମା । କୁସୁମାକୁ କୁହା ଯାଉଥିଲା ସୁନ୍ଦରୀ କୁସୁମା । କୁସୁମାର ଆକର୍ଷଣୀୟ ତଥା ମନ ଲୋଭା ଦୃଶ୍ୟ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା । କେବଳ ଯାଜପୁର ନୁହେଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ କୁସୁମାର ମନଲୋଭା ଦୃଶ୍ୟରେ ହଜି ଯାଉଥିଲେ । ହେଲେ ଆଜି ସମୟ ବଦଳି ଯାଇଛି । ପୁଣି ବିବାଦ ଭିତରେ ଛନ୍ଦି ହେବା ପରେ ସୁନ୍ଦରୀ କୁସୁମା ଏବେ ଅସୁନ୍ଦରୀ ହୋଇ ପଡିଛି ।
ସତେ ଯେମିତି ଆଉ କାହାର ନଜର ଆଉ କୁସୁମା ଉପରେ ନାହିଁ । କୁସୁମାରେ ଆଉ ଗହଳି ଦେଖିବାକୁ ମିଳୁନାହିଁ । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ଦାବି କରିଛନ୍ତି । ସମସ୍ତେ ଆଶା କରିଛନ୍ତି କୁସୁମା ପୁଣି ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ।




















