ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲ ଏବେ ଅସୁରକ୍ଷିତ ହୋଇ ପଡିଛି । ଜେଲରେ ସତେ ଯେମିତି ଆଇନ କାନୁନ କିଛି ନାହିଁ । ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ହେଉଥିଲା ବେଳେ ଅନ୍ୟ ରାଜ୍ୟର କଏଦୀ ଅନ୍ୟାୟସରେ ଚମ୍ପଟ ମାରୁଛନ୍ତି । ଚୌଦ୍ୱାର ଜେଲରୁ ଦୁଇ ହାର୍ଡ କୋର କଏଦୀ ଚମ୍ପଟ ମାରିବା ପରେ ଆଜି ପର୍ଯ୍ୟନ୍ତ ପୋଲିସ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ହେଲେ ଏହାରି ଭିତରେ ବାଲେଶ୍ଵର ସୋର ଜେଲରେ ଥିବା ଜଣେ ଝାଡ଼ଖଣ୍ଡ କଏଦୀ ଚମ୍ପଟ ମାରିଛି । ଯାହା ରାଜ୍ୟର ବିଭିନ୍ନ ଜେଲର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ଦର୍ଶାଉଛି । ଏକ ଚୋରି ମାମଲାରେ ଗିରଫ ଅଭିଯୁକ୍ତ ଝାଡଖଣ୍ଡର ଦୀପକ କୁମାର ରାୟ ମାତ୍ର ୪ ଦିନ ତଳେ ସୋର ଜେଲକୁ ଆସିଥିଲା । ହେଲେ ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ରାତି ଅଧରେ ଚମ୍ପଟ ମାରିବାକୁ ସକ୍ଷମ ହେଲା । ତାକୁ ଧରିବାକୁ ପୋଲିସ ଉଦ୍ୟମ କରୁଥିଲା ବେଳେ କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜେଲ୍ ୱାର୍ଡର ବିକାଶ କୁମାର ବେହେରା ଓ ବନମାଳୀ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଜେଲ ଡିଜି।
ଖାଲି କଏଦୀ ଚମ୍ପଟ ମାରିବା ଘଟଣା ନୁହେଁ, ଜେଲର ସେଲ ଭିତରେ ବି ଗ୍ୟାଙ୍ଗୱାର ହେଉଛି। ତାହା ପୁଣି ରାଜ୍ୟର ସର୍ବାଧିକ ସୁରକ୍ଷିତ ଚୌଦ୍ବାର ଜେଲରେ। ଦୁଇଦିନ ତଳେ ରାତି ଅଧିରେ ଚୌଦ୍ବାର ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଜେଲ ୱାର୍ଡ ଭିତରେ ଶୋଇଥିବା ଜଣେ କଏଦୀକୁ ହଠାତ୍ ଅତର୍କିତ ଭାବେ ଅନ୍ୟ ଜଣେ କଏଦୀ ଆକ୍ରମଣ କରୁଥିବା ଦୃଶ୍ୟ ଭାଇରାଲ ହୋଇଛି । ଏହି ଆକ୍ରମଣ ପରେ ଅନ୍ୟ କଏଦୀମାନେ ଯିଏ ଯୁଆଡ଼େ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ତା ପରେ ଦୁଇ ଗୋଷ୍ଠୀଙ୍କ ଭିତରେ ସେଲ ମଧ୍ୟରେ ମାରପିଟ ହେଉଛି । ଜେଲ ଭିତରେ ସୁରକ୍ଷାରେ ଏ ଢିଲା ବ୍ୟବସ୍ଥା କଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଏହା ବିସ୍ପୋରକ ସ୍ଥିତି ସୃଷ୍ଟି କରିବା ବିଚିତ୍ର ନୁହେଁ ।
ଘଟଣା ଘଟିବା ପରେ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ବିଭାଗ ପଦକ୍ଷେପ ନେବାର ବାହାନା କରୁଥିଲା ବେଳେ ଉପର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହିଁ ତାହା ହିଁ ବଡ଼ ପ୍ରଶ୍ନ ହୋଇଛି ।




















