ଓଡ଼ିଶା ଲିଡ୍ସ(ଯାଜପୁର): ଡିୟୁ ପବ୍ଲିକ୍ ସ୍କୁଲ ପଡ଼ିଆରେ ଆବାକସ୍ ଗଣିତ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୭୦ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନେ ଆବାକସ କୌଶଳ ମାଧ୍ୟମରେ ଗତି ଗଣନା, ସଠିକତା ଏବଂ ମାନସିକ ଗଣିତରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ସଂଖ୍ୟାତ୍ମକ କ୍ଷମତା, ଏକାଗ୍ରତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ ଥିଲା । ବିଚାରକମାନେ ଉତ୍ତର ପତ୍ର ଗୁଡ଼ିକର ମୂଲ୍ୟାଙ୍କନ କରି ବିଜେତାମାନଙ୍କୁ ଚୟନ କରି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିଲେ ।
ଶିକ୍ଷାବିତ ଡକ୍ଟର ସୁଧୀର ସାମଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାର୍କିକ ଚିନ୍ତାଧାରା ଏବଂ ମାନସିକ ଚପଳତାକୁ ସୁଦୃଢ଼ କରିବାରେ ଆବାକସ୍ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ବିଶ୍ୱଜିତ ମହାପାତ୍ର, ସମ୍ମାନିତ ଅତିଥି ଡକ୍ଟର ସୁଜାତା ମହାପାତ୍ର, ଡକ୍ଟର ରାଜଶ୍ରୀ ମହାପାତ୍ର ଏବଂ ରଞ୍ଜିତ ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ।




















