ଓଡ଼ିଶା ଲିଡ୍ସ(ଯାଜପୁର): ଗତ ୬ ତାରିଖ ଦିନ ବିଜେପିର ଆତଙ୍କରାଜ ବିରୁଦ୍ଧରେ “କଳା ଦିବସ” ପାଳନ କରି ବିଜେପି ବିରୁଦ୍ଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ବିଜେପି ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରି ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ଇଂ ଘଡାଇ ଆଜି ନିଜ ଦଳର ଗୃହ ଶତୃଙ୍କ ବିରୁଦ୍ଧରେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟପାଇଁ ବିଜୁ ଜନତା ଦଳରୁ ନିଲମ୍ବନ ହୋଇଛନ୍ତି ସୁକିନ୍ଦାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ଦାସ ।

ଶନିବାର ଦିନ ସୁକିନ୍ଦା ବ୍ଲକ ବିଜୁ ଜନତା ଦଳ ସଭାପତି ବିବେକାନନ୍ଦ ବୋଷ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିଶ୍ୱଜିତ୍ ଦାସଙ୍କୁ ଦଳ ଵିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା ପ୍ରକାଶ କରିଛନ୍ତି । ଦଳରେ ଦୀର୍ଘ ବର୍ଷ ହେଲା ରହି ବିଭିନ୍ନ ପଦ ପଦବୀ ହାସଲ କରିଥିବା ବିଶ୍ଵଜିତ ବେଶ କିଛି ଦିନ ହେଲା ଦଳ ଵିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା । ଯାହାର ଫଳ ସ୍ୱରୂପ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।
ବିଶ୍ଵଜିତଙ୍କୁ ଦଳରୁ ନିଲମ୍ବିତ କରି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଦଳର ନେତା ଓ କର୍ମୀଙ୍କୁ ନିଷ୍ଠାର ସହିତ ଦଳରେ ରହି କାର୍ଯ୍ୟ କର ନଚେତ ଦଳରେ ସ୍ଥାନ ନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।