ଓଡ଼ିଶା ଲିଡ୍ସ(ବ୍ୟୁରୋ): ନାରୀ ସୁରକ୍ଷାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ବିଧାନସଭାରେ କଂଗ୍ରେସ ବିଧାୟକ ମାନଙ୍କୁ ନିଲମ୍ବନ ପ୍ରତିବାଦରେ ଦୁଇଦିନ ହେଲା କଂଗ୍ରେସ ତୀବ୍ର ପ୍ରତିବାଦ କରୁଥିଲା ବେଳେ ଆଜିର ପ୍ରତିବାଦ ବେଶ ସଫଳ ହେବା ନେଇ କଂଗ୍ରେସ ଯେଉଁ ଆଶା ବାନ୍ଧିଥିଲା ତାହା ଆଜି ସତ ହୋଇଥିଲା । ସାରା ରାଜ୍ୟରୁ ହଜାର ହଜାର କଂଗ୍ରେସ କର୍ମୀ ଭୁବନେଶ୍ୱରରେ ପହଞ୍ଚିଥିଲେ । ପୋଲିସ ପକ୍ଷରୁ ମଧ୍ୟ ବେଶ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଂଗ୍ରେସ କର୍ମୀଙ୍କୁ ଅଟକା ଯାଇଥିବା ଅଭିଯୋଗ ହୋଇଛି । ଏହା ସତ୍ତ୍ୱେ ହଜାର ହଜାର କଂଗ୍ରେସ କର୍ମୀ ଲୋୟର ପିଏମଜିର ଗାନ୍ଧିମାର୍ଗରେ ଏକତ୍ରିତ ହୋଇଥିଲେ । ସରକାର ବିରୁଦ୍ଧରେ ନାରା ବାଜି କରି ଆଗକୁ ବଢିବାରୁ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତା ଧସ୍ତି ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମୁହାଁ ମୁହିଁ ହୋଇଥିଲା ବେଳେ କଂଗ୍ରେସ କର୍ମୀ ପୋଲିସ ଉପରକୁ ଟେକା ମାଡ଼ କରିବା ସହିତ ଚେୟାର ଫୋପାଡ଼ି ଥିଲେ । ଫଳରେ କିଛି ସାମ୍ବାଦିକ ଓ ପୋଲିସ ଆହତ ହୋଇଥିଲେ । ଏହା ପରେ ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦିଆ ଯାଇଥିଲା । ଚେତାବନୀ ପରେ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା । ହେଲେ ଆନ୍ଦୋଳନ ତୀବ୍ର ହେବାରୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ କରିଥିଲା । ଏହାକୁ ମଧ୍ୟ ଆନ୍ଦୋଳନକାରୀ ଭ୍ରୁକ୍ଷେପ କରିନଥିଲେ । ବ୍ୟାରିକେଟ ଭାଙ୍ଗି ଆନ୍ଦୋଳନକାରୀ ଆଗକୁ ବଢୁଥିଲା ବେଳେ ପୋଲିସ ପକ୍ଷରୁ ଲାଠି ଚାର୍ଜ ହୋଇଥିଲା । ଏହା ସହିତ ଲୁହବୁହା ବାଷ୍ପ ମଧ୍ୟ ଛଡା ଯାଇଥିଲା । ପୋଲିସର ଲାଠି ମାଡ଼ରେ ବହୁ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଥିଲେ । କିଛି କଂଗ୍ରେସ କର୍ମୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । କଂଗ୍ରେସ କର୍ମୀ ଲହୁଲୁହାଣ ହେବା ସହିତ ରକ୍ତ ରଞ୍ଜିତ ହୋଇଥିଲା ଗାନ୍ଧିମାର୍ଗ । ବହୁ ମହିଳା କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇଥିଲେ ପୋଲିସ ମାଡ଼ରେ ।ବେଶ କିଛି ସମୟ ରଣ କ୍ଷେତ୍ର ପାଲଟି ଯାଇଥିଲା ଗାନ୍ଧିମାର୍ଗ । ଆହତ କଂଗ୍ରେସ କର୍ମୀ ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ପୋଲିସର ଏହି ଅମାନବୀୟ ଆକ୍ରମଣକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଆଗକୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବାର ଚେତାବନୀ ଦିଆଯାଇଛି ।




















