ଓଡ଼ିଶା ଲିଡ୍ସ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ‘କଳାମଣ୍ଡଳ’ ପ୍ରେକ୍ଷାଳୟ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୧୭୩ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଓଡ଼ିଶାର ଏହି ସର୍ବବୃହତ ପ୍ରେକ୍ଷାଳୟ କାର୍ଯ୍ୟକୁ ତ୍ୱରାନ୍ୱିତ କରି ୨୦୨୬ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ସଭାସମିତି ଆୟୋଜନ କରିବା ପାଇଁ ଏହି ପ୍ରେକ୍ଷାଳୟଟି ଅତ୍ୟନ୍ତ ଉପଯୋଗୀ ହେବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଏହି ‘କଳାମଣ୍ଡଳ’ ପରିସରରେ ଉପଲବ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥି ସହିତ ପର୍ଯ୍ୟାପ୍ତ ପାର୍କିଂ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାରେ ପ୍ରସ୍ତାବିତ ୬ଟି ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରକଳ୍ପର ବିକାଶ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି । କେନ୍ଦୁଝରର ରାଙ୍କୀ ଓ ରାଇକଳାଠାରେ ଦୁଇଟି ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ, କାଳୀ ପଡ଼ିଆରେ ଏକ ଫୁଟବଲ ଷ୍ଟାଡ଼ିୟମ୍ ସହିତ ଇଣ୍ଡୋର ଓ ଆଉଟଡୋର ଗେମର ସୁବିଧା, ଡିଏନ୍ ହାଇସ୍କୁଲ ପରିସରରେ ଏକ ଅତ୍ୟାଧୁନିକ ସନ୍ତରଣ କେନ୍ଦ୍ର, ନରଣପୁରରେ ଆର୍ଚେରୀ ଏକାଡେମୀ ଏବଂ କେନ୍ଦୁଝରରେ ୧୦୦ ଶଯ୍ୟା ବିଶିଷ୍ଟ ହ୍ୟାଣ୍ଡବଲ କ୍ରୀଡା ଛାତ୍ରାବାସ ନିର୍ମାଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ, ସଂସ୍କୃତି ବିଭାଗର ଶାସନ ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




















