ଓଡ଼ିଶା ଲିଡ୍ସ(ବ୍ୟୁରୋ): କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ପଛ ଗେଟ ଦେଇ ଚମ୍ପଟ ମାରିଛି ଜଣେ ମୋବାଇଲ ଚୋର । ଫେରାର ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା। ମୋବାଇଲ ଚୋର ରାଜା ଖସିଯିବା ପରେ ଚନ୍ଦକା ଥାନାର ହୁଗୁଳା ସୁରକ୍ଷା ବ୍ୟବସ୍ଥା ଏବେ ପଦାରେ ପଡ଼ିଛି। ସୂଚନା ଅନୁଯାୟୀ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା। ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୁଲିସ ରାଜାକୁ ଧରି ଆଣି ଅଟକ ରଖି ପଚରାଉଚରା କରୁଥିଲା ।
ଗତକାଲି ଅଭିଯୁକ୍ତ ରାଜା ବାନ୍ତି ଲାଗୁଥିବା କହି ବାଥରୁମ ଯାଇଥିଲା। ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ବାଥରୁମ ବାହାରେ ଛିଡ଼ା ହୋଇଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୌଡ଼ି ପଳାଇବାରେ ସକ୍ଷମ ହେଲା । ଚୋର ଖସି ପଳାଇଯିବା କମିସନରେଟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।




















