ଓଡ଼ିଶା ଲିଡ୍ସ(ସୁକିନ୍ଦା): ରାଜ୍ୟ ସ୍ତରୀୟ ପାୱାର ଲିଫଟିଂ ପ୍ରତିଯୋଗିତାରେ ସୁକିନ୍ଦାର ଦୁଇ ଯୁବକ ସ୍ଵର୍ଣ୍ଣ ଓ ରୋପ୍ୟ ପଦକ ହାସଲ କରି ସୁକିନ୍ଦା ଅଞ୍ଚଳ ତଥା ଯାଜପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଇଣ୍ଡିଆନ ପାୱାର ଲିଫଟିଂ ଫେଡରେସନ ପକ୍ଷରୁ ଗତ ୧୪ରୁ୧୬ ତାରିଖ ପର୍ଯ୍ୟନ୍ତ ମାଲକାନଗିରିର ନୁଆଗୁଡ଼ା ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ସବ୍ ଜୁନିଅର ବିଭାଗରେ ସୁକିନ୍ଦା ସଦର ମହକୁମାର ସନ୍ତୋଷ କୁମାର ରଣାଙ୍କ ପୁଅ ଚିନ୍ମୟ ରଣା ୧୦୦ କେ.ଜି ବେଞ୍ଚପ୍ରେସ ଲିଫଟିଂରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ୪୨୦ କେ.ଜି ଓଭରାଲ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି।
ସେହିପରି ସୁକିନ୍ଦାର ସଲିମ ଖାନଙ୍କ ପୁଅ ଅଫଜଲ ଖାନ ମାଷ୍ଟର ୱାନ ବିଭାଗର ୩୪୫କେଜି ବେଞ୍ଚପ୍ରେସ ପ୍ରତିଯୋଗୀତାରେ ଦ୍ଵିତୀୟ ଓ ଓଭରାଲରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ଏହି କୃତିତ୍ୱ ପରେ ସାଙ୍ଗସାଥୀ, ସହପାଠୀଙ୍କ ସମେତ ବିଭିନ୍ନ ମହଲରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଚିନ୍ମୟ ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବା ପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଜଣାପଡିଛି ।




















