ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ପାଣିକୋଇଲି ସ୍ଥିତ ପଣ୍ଡା ଜୁଏଲାରୀ ଲୁଟ ଘଟଣାରେ ସଂପୃକ୍ତ ଦୁଇ ଦୁର୍ଦାନ୍ତ ଡ଼କାୟତ ଚୌଦ୍ୱାର ଜେଲରୁ ଗତକାଲି ଚମ୍ପଟ ମାରିଛନ୍ତି । ସୁନା ଦୋକାନ ଲୁଟ ସମୟରେ ଏହି ଦୁଇ ଅପରାଧି ବନ୍ଧୁକରୁ ଗୁଳି ଚଳାଇଥିଲେ । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଲୋକମାନେ ଉଭୟଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ସେମାନଙ୍କୁ ପୋଲିସ ଚୌଦ୍ୱାର ଜେଲକୁ ପଠାଇ ଦେଇଥିଲା । ହେଲେ ଉଭୟ ଚୌଦ୍ୱାର ଜେଲର ସୁରକ୍ଷା ଭେଦ କରି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଏହି ଘଟଣା ଜେଲ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଭୟ କେମିତି ସୁରକ୍ଷା ବଳୟ ଭେଦ କରି ଚମ୍ପଟ ମାରିଲେ ସେ ନେଇ ତଦନ୍ତ ଚାଲିଥିଲା ବେଳେ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଚୌଦ୍ୱାର ଜେଲର ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ଜେଲ୍ ଡିଜି ନିଲମ୍ବିତ କରିଛନ୍ତି। କମ୍ୱଳ କାଟି ଦଉଡି କରି ତା ସାହାଯ୍ୟରେ ଜେଲ ପାଚିରି ଡେଇଁ ଦୁଇ କଏଦୀ ଫେରାର ହେବାକୁ ସକ୍ଷମ ହୋଇଛନ୍ତି । ଏନେଇ ଜେଲ ଡିଜି ସୁଶାନ୍ତ ନାଥ ସୂଚନା ଦେଇଛନ୍ତି ।
ଦଶହରା ପାଇଁ ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହାର ସୁଯୋଗ ନେଇ କଟକ ଚୌଦ୍ବାର ଜେଲ୍ର ପାଚେରି ଡେଇଁ ଦୁଇ କଏଦୀ ଫେରାର ହୋଇଛନ୍ତି ବୋଲି ସୂଚନା ମିଳିଛି । ହେଲେ ଏହି ଘଟଣା ଜେଲର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଛିଡା କରିଛି ।




















