ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଛୋଟରାୟପୁର ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କଲେଜ ହଷ୍ଟେଲ ପରିସରରେ ଥିବା ଏକ ବାଥରୁମ ଭିତରୁ ଜଣେ ଛାତ୍ରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି । ଏ ନେଇ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ପାଣିକୋଇଲି ଥାନାରେ ଏତଲା ଦିଆଯାଇଛି ।
ଅଭିଯୋଗ ପାଇ ପାଣିକୋଇଲି ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦାନଗଦି ମେଡ଼ିକାଲକୁ ପଠାଇଛି। ଏହି ଘଟଣା ପରେ ଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶହ ଶହ ସଂଖ୍ୟାରେ ଲୋକ କଲେଜ ନିକଟରେ ପହଞ୍ଚି ଏହାର ପ୍ରତିବାଦ କରିଥିଲା ବେଳେ ଏହାକୁ ନେଇ ପୋଲିସ ନାକେଦମ ହୋଇଥିଲା । ପରିବାର ପକ୍ଷରୁ ତାଙ୍କ ପୁଅକୁ ହତ୍ୟା କରି ଝୁଲାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ +୨ ବିଦ୍ୟାଳୟ ଖୋଲିଥିଲା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସେଠାରେ ରହି ପାଠ ପଢୁଛନ୍ତି । ପାଠ ପଢା ଠାରୁ ନେଇ ଖାଇବା ପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗ ହେଉଥିଲା ବେଳେ କର୍ତ୍ତୁରପକ୍ଷ ଏହାକୁ ବିଭିନ୍ନ ଉପାୟରେ ଚପାଇ ଦେଉଛନ୍ତି । ଏହି ସବୁ ଘରୋଇ ବିଦ୍ୟାଳୟ ଗୁଡିକ ଉପରେ ପ୍ରଶାସନର କୌଣସି ଅଙ୍କୁଶ ରହୁ ନାହିଁ । କୌଣସି ଘଟଣା ଘଟିଲେ ବିଭିନ୍ନ ଉପାୟରେ ବିଦ୍ୟାଳୟ କର୍ତୁରପକ୍ଷ ଏହାକୁ ଚପାଇ ଦେବାରେ ସକ୍ଷମ ହେଉଛନ୍ତି । ବିଶେଷ କରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି ।




















