ଓଡ଼ିଶା ଲିଡ୍ସ(ଯାଜପୁର): ନିର୍ବାଚନ ପରଠାରୁ ସୁକିନ୍ଦାରେ ଧନଜୀବନ ଅସୁରକ୍ଷିତ ହୋଇ ପଡିଛି । ଦୈନିକ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ବିଜେପି କର୍ମୀ ମାନେ ପ୍ରତିହିଂସା ପରାୟଣ ହୋଇ ରକ୍ତପାତ କରୁଛନ୍ତି । ଉଦ୍ଦେଶ୍ୟ ମୂଳକ ଭାବେ ଶ୍ରମିକ, ସାମ୍ବାଦିକ ଏବଂ ବିଜେଡିର କର୍ମକର୍ତ୍ତାଙ୍କୁ ପ୍ରତିଦିନ ଆକ୍ରମଣ କରାଯାଉଛି।
ସୁକିନ୍ଦାରେ ଶାନ୍ତି ଫେରାଇ ଆଣିବା ପାଇଁ ବିଜେଡି ପକ୍ଷରୁ ଜୁନ ୬କୁ କଳା ଦିବସ ଭାବେ ପାଳନ ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବାକୁ ବିଜେଡି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୁଇଦିନ ତଳେ ସୁକିନ୍ଦା ବ୍ଳକର ବିଭିନ୍ନ ପଂଚାୟତର କର୍ମକାର୍ତ୍ତାଙ୍କୁ ନେଇ ବୈଠକ ଆୟୋଜିତ ହୋଇଥିଲା ।

ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକର ୨୩ ପଞ୍ଚାୟତର ବିଜେଡି କର୍ମକର୍ତ୍ତାଙ୍କର ଏକ ଜରୁରୀ ବୈଠକ ଆୟୋଜିତ ହୋଇଛି । ବୈଠକରେ ୨୩ ପଞ୍ଚାୟତର ବିଜେଡି ନେତା ଓ ନେତ୍ରୀ ଯୋଗଦେଇ କଳା ଦିବସକୁ କିଭଳି ସଫଳ ଭାବେ ଆୟୋଜନ କରାଯିବ ସେ ନେଇ ନିଜନିଜ ମତ ଦେଇଥିଲେ । ବୈଠକରେ ଅଧ୍ଯକ୍ଷତା କରି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ବିଭିନ୍ନ ପରାମର୍ଶ ଦେବା ସହିତ କଳା ଦିବସର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ସୁକିନ୍ଦାର ସବୁ ବର୍ଗର ବ୍ୟକ୍ତି କିଭଳି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ସମସ୍ତ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ ।




















