ଓଡ଼ିଶା ଲିଡ୍ସ(ବ୍ୟୁରୋ): ପ୍ରଥମେ ଅଧିନାୟକ ରୋହିତ ଶର୍ମା, ପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବାୟ ବାୟ କରିଛନ୍ତି। ଚାରି ନମ୍ବରରେ ବ୍ୟାଟିଂ କରୁଥିବା “କିଙ୍ଗ” ନାମରେ ପରିଚିତ କୋହଲି ଅବସର ନେବା ପରେ କିଏ ଏହି ସ୍ଥାନରେ ବ୍ୟାଟିଂ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଆଗାମୀ ଗୁରୁତ୍ୱପୂର୍ଣ୍ଣ ଇଂଲଣ୍ଡ ଗସ୍ତରେ ଏହି ସ୍ଥାନରେ ବିରାଟଙ୍କ ବିକଳ୍ପ ଖେଳାଳି କିଏ ହେବ ତାକୁ ନେଇ ଭାରତୀୟ କ୍ରିକେଟରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି । ଏହି ସ୍ଥାନ ପାଇଁ ଶ୍ରେୟସ ଆୟର, କରୁଣ ନାୟର, ସରଫରାଜ୍ ଖାନଙ୍କ ଭଳି ଖେଳାଳିଙ୍କ ନାମ ଚର୍ଚ୍ଚାରେ ଥିଲା ବେଳେ ନା ଆଉ କିଛି ଖେଳାଳିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ବିରାଟ କୋହଲି ଗତ ୧୨ ତାରିଖରେ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ଏହାର ଦୁଇ ଦିନ ପୂର୍ବରୁ ସେ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । ଏ ନେଇ ସେ ବିସିସିଆଇକୁ ଅବଗତ କରିଥିଲେ ।
ଉଭୟ ବିରାଟ ଓ ରୋହିତଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ଏବେ କେବଳ ଦିନିକିଆ କ୍ରିକେଟରେ ସୀମିତ ହୋଇଛି ।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ରେ ଭାରତ ନିଜ ଶେଷ ଦୁଇ ସିରିଜ୍ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଉଭୟ ବିରାଟ ଓ ରୋହିତ ବେଶ ସମାଲୋଚିତ ହୋଇଥିଲେ । ଏହା ଫଳରେ ଟିମ ଇଣ୍ଡିଆ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲା ।
ଟେଷ୍ଟ କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ବିରାଟଙ୍କ ନାମରେ ୯୦୦୦ରୁ ଅଧିକ ରନ୍ ରହିଛି । ୩୬ବର୍ଷୀୟ ବିରାଟ ଆଉ କିଛି ବର୍ଷ ଟେଷ୍ଟ ଖେଳିବେ ବୋଲି ଅନେକେ ଭାବିଥିଲା ବେଳେ ବିରାଟ ଅବସର ନେଇଛନ୍ତି ।
ଚର୍ଚ୍ଚା ଭିତରେ ବିରାଟଙ୍କ ସ୍ଥାନ ନେବା ପାଇଁ ଶ୍ରେୟସ ଆୟର ସବୁଠାରୁ ଅଧିକ ଦାବିଦାର ବୋଲି କୁହାଯାଉଛି । ଭାରତ ପକ୍ଷରୁ ସେ ତିନି ଫର୍ମାଟ୍ରେ ପଦାର୍ପଣ କରିସାରିଥିଲା ବେଳେ ତାଙ୍କ ଫର୍ମ ଭଲ ଅଛି ।
୩୦ବର୍ଷୀୟ ଶ୍ରେୟସ ଆୟାର ୧୪ ଟେଷ୍ଟ ମ୍ୟାଚ୍ ଖେଳି ଗୋଟିଏ ଶତକ ଓ ପାଞ୍ଚ ଅର୍ଦ୍ଧଶତକ ସହାୟତାରେ ୮୧୧ ରନ୍ ହାସଲ କରିଛନ୍ତି ।
କରୁଣ ନାୟାର ଓ ସରଫରାଜ ଖାନବି ଦୌଡ଼ରେ ସାମିଲ ଅଛନ୍ତି । ଉଭୟ ଏବେ ଖୁବ ଭଲ ଫର୍ମରେ ଅଛନ୍ତି ମଧ୍ୟ । ଏହି ତାଲିକାରେ ଧ୍ରୁବ ଜୁରେଲ୍ ଓ ସାଇ ସୁଦର୍ଶନଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ତେବେ ଇଂଲଣ୍ଡ ପରିବେଶରେ କିଏ ଗୁରୁତ୍ୱପୂର୍ଣ୍ଣ ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରିବ ସେ ନେଇ ବିସିସିଆଇ ଶେଷ ନିଷ୍ପତି ନେବ । ହେଲେ ଏହି ସ୍ଥାନ ପାଇଁ ଦେଶର ବହୁ ପ୍ରତିଭାଶାଳୀ ଖେଳାଳି ରହିଛନ୍ତି ।