ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ବେଶ ଚର୍ଚ୍ଚିତ । ନଗଡାର ପଡ଼ୋଶୀ ଦୁର୍ଗମ ତୁମୁଣି ଗାଁରେ ଗ୍ରାମ୍ୟ ଏକତାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିଲେ ବି ସାମୁହିକ ଘର ତୋଳିବାକୁ ନେଇ ଗ୍ରାମବାସୀ ଏକ ହୋଇଛନ୍ତି । ପାରମ୍ପରିକ ଛଣଛପର ଓ ଝାଟିମାଟି ଘର ଛାଡ଼ି ଆଜବେସଷ୍ଟସ୍ ଘର ତୋଳିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଶାଳ କିମ୍ବା କଙ୍ଗଡ଼ା କାଠଖୁଣ୍ଟ ଉପରେ ଆଜବେସଷ୍ଟସ୍ ଛାଉଣି କରାଯାଉଛି। ଅଗ୍ନିକାଣ୍ଡ ପ୍ରବଣ ଏହି ଜୁଆଙ୍ଗ ବସ୍ତିରେ ନୂତନ ଗୃହ ନିର୍ମାଣ ସୁରକ୍ଷାର ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
କଟକ ବନଖଣ୍ଡ ଅଧିନରେ ପାହାଡ଼ ତଳେ ୨୬ଟି ଜୁଆଙ୍ଗ ଜନଜାତି ପରିବାରକୁ ନେଇ ତୁମୁଣି ଗାଁ ଗଢ଼ିଉଠିଛି। ନା ଗାଁକୁ ରାସ୍ତା ଅଛି ନା ପାନୀୟଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ପହଞ୍ଚି ପାରିଛି ଏହି ଗାଁରେ । ଗ୍ରାମବାସୀ ବହୁବିଧ ମୌଳିକ ସମସ୍ୟା ଦେଇ ଗତି କରୁଛନ୍ତି । ଗରିବ ଜନଜାତିର ବର୍ଗର ହୋଇଥିଲେ ହେଁ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ବିଗତ ସରକାରରେ ପଡ଼ୋଶୀ ନଗଡ଼ାରେ ୭୫ ଜୁଆଙ୍ଗ ପରିବାରକୁ ସରକାରୀ ଆବାସ ଯୋଜନାରେ ପକ୍କାଘର ମିଳିଛି। ପାର୍ଶ୍ବସ୍ଥ ଗୁହିଆଶାଳ ମୌଜାର ୨୬ ଜୁଆଙ୍ଗ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ହେଲେ ତୁମୁଣିବାସୀଙ୍କ ପାଇଁ ଆବାସ ଯୋଜନା ଏବେବି ଅପହଞ୍ଚ ହୋଇ ରହିଛି । ୨୦୧୫ ମସିହା ମାର୍ଚ୍ଚମାସରେ ଘଟିଥିବା ଅଗ୍ନିକାଣ୍ଡରେ ତୁମୁଣି ଗାଁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା । ଗୋଟିଏ ପଟେ ଜଳାଭାବ ଓ ଅନ୍ୟପଟେ ଅଗ୍ନିକାଣ୍ଡ ଭୟ ଗ୍ରାମବାସୀଙ୍କୁ ଚିନ୍ତାରେ ପକାଉଥିଲା ।
ଏହାକୁ ଦୃଷ୍ଟିରେ ରଖି ଗତମାସ ତୁମୁଣି ଠାରେ ଗ୍ରାମ ମୁଖିଆ ମିଟୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଡକାଯାଇଥିଲା। ଘର ତୋଳିବାକୁ ଗ୍ରାମବାସୀ ସମ୍ମତି ପ୍ରକାଶ କରିଥିଲେ । ଟଙ୍କା ଜମା କଲେ ଘର ତୋଳି ହେବ ନିଷ୍ପତ୍ତି ପରେ ଅଧିକାଂଶ ପରିବାର ଏଥିପାଇଁ ଟଙ୍କା ଜମା କରିଥିଲେ। କାଳିଆପାଣିରୁ ମିନିଟ୍ରକ୍ରେ ନାଲିଆଡାବକୁ ଆଜବେସଷ୍ଟସ୍ ଆସିଥିଲା । ନାଲିଆଡାବରୁ ଭାର ଯୋଗେ ଲୋକେ ୨ ଦିନଧରି ଗାଁକୁ ଆଜବେସଷ୍ଟସ୍ ବୋହିଥିଲେ। ପାହାଡ଼ି ଗୁଳାବାଟରେ ୩ କିଲୋମିଟର ଧରି ଆଜବେସଷ୍ଟସ୍ ବୁହା କଷ୍ଟକର ବ୍ୟାପାର ଥିଲାବେଳେ ହାରି ଯାଇ ନଥିଲେ ତୁମୁଣିବାସୀ। ପୁରୁଣା ଘରର ଅଧିକାଂଶ ଗୃହନିର୍ମାଣ ସରଞ୍ଜାମ ନୂଆଘରରେ ବ୍ୟବହାର କରି ନୂତନ ଗୃହ ନିର୍ମାଣ ହେଉଛି । ନୂଆ ଘରେ ସୁରକ୍ଷିତ ଭାବେ ରହିବାକୁ ଗ୍ରାମବାସୀ ମେଞ୍ଚାଏ ସ୍ୱପ୍ନ ନେଇ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛନ୍ତି । ନିଜ ସୁରକ୍ଷା ପାଇଁ ନିଜ ସଞ୍ଚିତ ଅର୍ଥରେ ଗୃହ ନିର୍ମାଣ କରୁଥିବା ତୁମୁଣିବାସୀଙ୍କୁ କେବେ ସରକାର ସହଯୋଗର ହାତ ବଢ଼ାଇବେ ତାକୁ ଅପେକ୍ଷା ରଖାଯାଉ ।




















