ଓଡ଼ିଶା ଲିଡ୍ସ(ବ୍ୟୁରୋ): ସବୁ ଚର୍ଚ୍ଚାର ଅବସାନ ଘଟାଇ ରୋହିତ ଶର୍ମା ଓ ବିରାଟ କୋହଲି(ରୋକୋ) ଭାରତୀୟ ଏକ ଦିବସୀୟ କ୍ରିକେଟ ଦଳକୁ ଫେରିଛନ୍ତି । ହେଲେ ଭାରତୀୟ କ୍ରିକେଟ ଚୟନ କର୍ତ୍ତା ମାନେ ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ଏକ ଦିବସୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରିଛନ୍ତି । ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଟି-୨୦ ବିଶ୍ୱକପ ସହିତ ଚମ୍ପିୟନ୍ସ ଟ୍ରଫି ଜିତିଥିବା ରୋହିତ ଅଧିନାୟକ ଭାବେ ୨୦୨୭ ବିଶ୍ୱକପ ଜିତିବାକୁ ଆଶା କରିଥିଲା ବେଳେ ତାଙ୍କ ସ୍ୱପ୍ନ କିନ୍ତୁ ଅଧୁରା ରହି ଯାଇଛି । ତିନିଟି ଫର୍ମାଟରେ ଜଣେ ଅଧିନାୟକ ନିଯୁକ୍ତ କରିବାର ଯୋଜନାରେ ଆଉ ପାଦେ ଆଗକୁ ଯାଇଛି ବିସିସିଆଇ । ଟେଷ୍ଟ ଓ ଏକ ଦିବସୀୟର ଅଧିନାୟକ ହୋଇ ସାରିଥିବା ଗିଲ ସମ୍ଭବତଃ ଆଗକୁ ଟି-୨୦ ଦଳର ଅଧିନାୟକ ହେବେ । କାରଣ ସେ ବର୍ତ୍ତମାନ ଟି-୨୦ ଦଳର ଉପ ଅଧିନାୟକ ରହିଛନ୍ତି । ଅଧିନାୟକ ଭାବେ ସୂର୍ଯ୍ୟକୁମାର ସଫଳ ହେଉଥିଲେ ମଧ୍ୟ ସେ ବ୍ୟାଟିଂରେ ବିଫଳ ହେଉଛନ୍ତି । ୨୦୨୭ ବିଶ୍ୱକପ ଦଳରେ ରୋହିତ ଓ କୋହଲି ରହିବେ କି ନାହିଁ, ବିସିସିଆଇ ସେମାନଙ୍କ ଭବିଷ୍ୟତ ନେଇ କି ଯୋଜନା କରିଛି ତାହା ଆଗାମି ଦିନରେ ଜଣା ପଡିବ । ହେଲେ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଉଭୟ ରୋହିତ ଓ କୋହଲିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛି ।




















