ଓଡ଼ିଶା ଲିଡ୍ସ(ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଆଜି ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସ୍ବତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ରାୟ ଦେଇ ସିବିଆକୁ ତୀବ୍ର ଭର୍ତ୍ସନା କରି ଏହା ଆଣିଥିବା ଅଭିଯୋଗ ବିରୋଧରେ ପ୍ରମାଣ ଉପସ୍ଥାପନ କରିପାରନାହିଁ ବୋଲି କହିଛନ୍ତି। ସିବିଆଇ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ଫର୍ଦ୍ଦକୁ ଗ୍ରହଣ କରିବାକୁ କୋର୍ଟ ମନା କରିବା ସହିତ ମାମଲା ପରିଚାଳନା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ ବୋଲି କହିଥିଲେ। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି କହିଛନ୍ତି ଅବକାରୀ ନୀତିରେ କୌଣସି ବ୍ୟାପକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଅଭିସନ୍ଧି ନଥିଲା।
ସୂଚନାଯୋଗ୍ୟ, ୨୦୨୨-୨୩ ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସିବିଆଇ ମାମଲା ରୁଜୁ କରିଥିଲା। ଏହି ମମଲାରେ ଅରବିନ୍ଦଙ୍କ ସମେତ ଆମ୍ ଆଦମୀ ପାର୍ଟିର ଅନେକ ନେତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଅରବିନ୍ଦ କେଜ୍ରିୱାଲ ମଧ୍ୟ ୬ ମାସ ଜେଲରେ ରହିଥିଲେ। ସିବିଆଇ ଓ ଇଡି ଅଭିଯୋଗ କରିଥିଲା ଯେ ସାଉଥ୍ ଗ୍ରୁପ୍ ନାମକ ଏକ ଲବିରୁ ୧୦୦ କୋଟି ଟଙ୍କା ଲାଞ୍ଚ ନିଆଯାଇଥିଲା ଓ ଏହା ବଦଳରେ ଲାଇସେନ୍ସ ଦେୟରେ ରିହାତି ଓ ଅନ୍ୟ ଲାଭ ଦିଆଯାଇଥିଲା।
କେଜ୍ରିୱାଲଙ୍କ ଆଖିରେ ଲୁହ
କୋର୍ଟରୁ ଦୋଷମୁକ୍ତ ହେବା ପରେ କେଜ୍ରିୱାଲଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ଏହି ମାମଲାକୁ ଦେଶର ସବୁଠୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ଏହି ଷଡ଼ଯନ୍ତ୍ର ରଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ ।




















