ଓଡ଼ିଶା ଲିଡ୍ସ(ବ୍ୟୁରୋ): କଡ଼ ଲେଉଟାଉଛି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ସାକ୍ଷୀଙ୍କୁ ଦ୍ବିତୀୟ ଥର ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତଙ୍କ କଲ ଡିଟେଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଥିରେ ଯେଉଁମାନଙ୍କର ନାଁ ବାହାରିଛି ସେମାନଙ୍କୁ ମଧ୍ୟ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ନବଙ୍କ ପରିବାର ଲୋକେ ଯେଉଁ ଅଭିଯୋଗ ଆଣୁଛନ୍ତି, ସେ ଦିଗକୁ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି। ଏ ନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି। ଯେଉଁ ଦିଗ ଉପରେ ପରିବାର ଲୋକେ ଗୁରୁତ୍ୱ ଦେଇଛନ୍ତି ସେହି ଦିଗକୁ ନେଇ ତଦନ୍ତ କରାଯାଉଛି।
ସାକ୍ଷୀଙ୍କୁ ଦ୍ବିତୀୟ ଥର ପଚରାଉଚରା କରାଯାଇଛି। ଯେଉଁମାନେ ଗୋପାଳ ଦାସ ସହିତ କଥା ହୋଇଛନ୍ତି, ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଉଛି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି। ଯେଉଁ ଘଟଣା ନଜରକୁ ଆସିଥିଲା, ସେହି ଆଧାରରେ ତଦନ୍ତ ଶେଷ ହୋଇଥିଲା। କିନ୍ତୁ କିଛି ଜିନିଷ ବାକି ଥିଲା। ସେଥିପାଇଁ ମାମଲାକୁ ବନ୍ଦ କରାଯାଇ ନଥିଲା। ପ୍ରାଥମିକ ଚାର୍ଜସିଟ ରିପୋର୍ଟ କୋର୍ଟରେ ଦାଖଲ ଯାଇଥିଲା।
ଏବେ ମାମଲାର ଶୁଣାଣି ଚାଲିଛି। ଟ୍ରାଏଲ ପୂର୍ବରୁ କୋର୍ଟକୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ପଡ଼ିବ। ଏବେ ନୂଆ ନୂଆ କଥା ସାମନାକୁ ଆସିଛି। ସବୁ ଦିଗକୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ସତ୍ୟାସତ୍ୟ ସାମନାକୁ ଆସିବ ବୋଲି କ୍ରାଇମ୍ବ୍ରାଞ୍ଚ ଡିଜି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।




















