ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂତନ ବର୍ଷ ଅର୍ଥାତ ଜାନୁୟାରୀ ୧ ତାରିଖ ଏକ କାର୍ଯ୍ୟ ଦିବସ ହୋଇଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବାକୁ କେହି ବ୍ୟକ୍ତିଗତ ଭାବରେ ନଆସିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ ଅନୁରୋଧ କରାଯାଇଛି। ସରକାରୀ କାର୍ଯ୍ୟାଳୟରେ ନୂତନ ବର୍ଷ ପାଳନ ନକରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ, ବୈଠକ ଏବଂ ପାର୍ଟିକୁ ବାରଣ କରାଯାଇଛି। ସମସ୍ତ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇଂରାଜୀ ନୂଆ ବର୍ଷ ୨୦୨୬ ପାଇଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ ଏବଂ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ। ତେଣୁ, ମୋର କାର୍ଯ୍ୟାଳୟକୁ ନୂଆବର୍ଷର ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ। ସରକାରୀ କର୍ମଚାରୀମାନେ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି, ଅଫିସ୍ କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଅନୁରୋଧ। ଓଡ଼ିଶାର ଜନସାଧାରଣ ତଥା ମୋର ଶୁଭାକାଂକ୍ଷୀଙ୍କ ସଦିଚ୍ଛା ମୋ ସହିତ ସବୁବେଳେ ରହିଆସିଛି। ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ।




















