ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ଯୁବକ, ଯୁବତୀ, ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଅଧିକାରକୁ ନେଇ ପ୍ରଶ୍ନ ଉଠାଉଥିବା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ବିଭିନ୍ନ ସମୟରେ GEN-Z ନାମରେ ନିଜ ସାମାଜିକ ଗଣ ମଧ୍ୟମ ଫେସବୁକରେ ପୋଷ୍ଟ କରିଥିଲେ । ଯାହା ବେଶ ଭାଇରାଲ ହେବା ସହିତ ବିତର୍କ ସୃଷ୍ଟି କରିଥିଲା । ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁ ମୁହିଁ ମଧ୍ୟ ହୋଇଥିଲେ । ହେଲେ ଯୁବଙ୍କ ଅଧିକାର ପାଇଁ ଆଗକୁ ଆସିଥିବା ଇଂ ପ୍ରୀତିରଞ୍ଜନଙ୍କ ପ୍ରତି ବେଶ ସମର୍ଥନ ମିଳିଥିଲା । ରାଜ୍ୟରେ ପୋଲିସ ଏସ.ଆଇ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା ଏବେ ବଡ଼ ବିତର୍କ ସୃଷ୍ଟି କରିଛି । ଏହାକୁ ନେଇ ପୋଲିସ ଏଥିରେ ସମ୍ପୃକ୍ତ ଶତାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ହେଲେ ଏହା କିଭଳି ସମ୍ଭବ ହେଲା ତାହା ଚିନ୍ତାର ବିଷୟ ହୋଇଛି । ସରକାରୀ ଚାକରି ଖଣ୍ଡେ ପାଇବାକୁ ଦିନ ରାତି ଏକ କରି ପରିଶ୍ରମ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହା ନିରାଶ କରିଛି । ଧନୀକ ଓ ଗରିବଙ୍କ ମଧ୍ୟରେ ପ୍ରଭେଦ ସୃଷ୍ଟି କରିଛି । ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଏହାକୁ ନେଇ ଆଜି ଇଂ ଘଡାଇ ନିଜ ପୋଷ୍ଟରେ ନୁଷ୍ପକ୍ଷ ପରୀକ୍ଷା, ସମାନ ସୁଯୋଗ ନେଇ ପୋଷ୍ଟ କରିଛନ୍ତି । ସମସ୍ତ ପରୀକ୍ଷା ନିଷ୍ପକ୍ଷ ହେବା ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ଇଂ ଘଡାଇ ।




















