ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ଏକ ଐତିହାସିକ ଦିନ, ଏକ ଐତିହାସିକ ମୁହୂର୍ତ୍ତ। ବିହାର ବିଧାନସଭା ନିର୍ବାଚନ ଏବଂ ନୂଆପଡ଼ା ଉପନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି। ନୂଆପଡ଼ା ଉପନିର୍ବାଚନରେ ଅଂଶଗ୍ରହଣ କରି ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ଜଣାଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସହଯୋଗ କରିବ।
ଆଜିର ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ବର ଫଳ। ଲୋକଙ୍କର ସରକାରରେ ବିଗତ ୧୬ ମାସ ଧରି ଜନସାଧାରଣ ଉପକୃତ ହୋଇଛନ୍ତି। ଲୋକଙ୍କର ପାଇଁ ସରକାର ଜନକଲ୍ୟାଣ ଯୋଜନା ଓ ସ୍ବଚ୍ଛ ଶାସନ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଡବଲ ଇଞ୍ଜିନ ସରକାରକୁ ଜନତା ବିପୁଳ ସମର୍ଥନ ଦେଇଛନ୍ତି ।
ନୂଆପଡ଼ାର ବିକାଶ ହେବ
ମୁଖ୍ୟମନ୍ତରୁ କହିଛନ୍ତି ମୁଁ ଗତବର୍ଷ ନୂଆପଡ଼ା ଯାଇଥିଲି। ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲି। ଚଳିତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ମୁଁ ଯାଇଥିଲି। ଗତ ୬ ତାରିଖରେ ଯେତେବେଳେ ମୁଁ କୋମନା ବ୍ଲକରେ ରୋଡ୍ ସୋ କରିଥିଲି, ହଜାର ହଜାର ଲୋକ ଉତ୍ସାହର ସହିତ ଉପସ୍ଥିତ ଥିଲେ। ନୂଆପଡ଼ାର ବିକାଶ ହେବ। ଆମ ଦଳ ରାଜନୈତିକ ଉଦ୍ୟେଶ ନେଇ ନୁହେଁ, ସେବା ମନୋଭାବ ନେଇ ଆଗକୁ ବଢୁଛି। ଏହି କାରଣରୁ ନୂଆପଡ଼ାବାସୀ ସମର୍ଥନ ଦେଇଛନ୍ତି। ବିହାରରେ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବିଜୟ ଉତ୍ସବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅନ୍ୟ ଦଳୀୟ ପଦାଧିକାରୀ, କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।




















