ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡାରେ ରହି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ଜଣେ ମାଜିଷ୍ଟ୍ରେଟ ପୋଲିସ ନେଇ ସେ ରହୁଥିବା ଘରକୁ ଯାଇ କବାଟ ବାଡେଇଥିଲେ । ଇଂ ଘଡାଇଙ୍କ ଜଣେ ସହଯୋଗୀ କବାଟ ଖୋଲି କବାଟ ବାଡେଇବାର କାରଣ ପଚାରିଥିଲେ । ମାଜିଷ୍ଟ୍ରେଟ ନିଜର ପରିଚୟ ଦେଲାପରେ ଇଂ ଘଡାଇଙ୍କ ସହଯୋଗୀ ଏ ନେଇ ଇଂ ଘଡାଇଙ୍କୁ ଅବଗତ କରିବା ସହିତ ସର୍ଚ୍ଚ ୱାରେଣ୍ଟ ଦେଖାଇବାକୁ ବିନମ୍ରତାର ସହିତ କହିଥିଲେ । ହେଲେ ମାଜିଷ୍ଟ୍ରେଟ ସର୍ଚ୍ଚ ୱାରେଣ୍ଟ ଦେଖାଇ ପାରିନଥିଲେ । ଇଂ ଘଡାଇଙ୍କ ସହଯୋଗୀ ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ ।
କିଛି ସମୟ ପଦାରେ ବୁଲିଲା ପରେ ସଂପୃକ୍ତ ଅଧିକାରୀ ପୋଲିସ ସହିତ ଇଂ ଘଡାଇ ରହୁଥିବା ଘରକୁ ଧସେଇ ପଶିଥିଲେ । ଏହାକୁ ନେଇ ବିଜେଡି ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଜେଡି ରାସ୍ତାକୁ ଓହ୍ଲାଇ ଏହି ଘଟଣାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଗତ କିଛି ଦିନ ହେଲା ଇଂ ପ୍ରୀତିରଞ୍ଜନ ଘଡାଇ ସରକାରଙ୍କୁ ତୀବ୍ର ଆକ୍ଷେପ କରିବା ସହିତ ପ୍ରଶାସନ ସହିତ ମୁହାଁ ମୁହିଁ ହୋଇ ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଛନ୍ତି । ନୂଆପଡା ଠାରେ ପ୍ରଭାବୀ ଢଙ୍ଗରେ ଦଳ ପାଇଁ ପ୍ରଚାର କରୁଥିଲା ବେଳେ ବିଜେପି ତାଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ଏହି ପଦକ୍ଷେପ ନେଇଥିବା ବିଜେଡି ଅଭିଯୋଗ କରିଛି । ଏହାକୁ ନେଇ ନୂଆପଡାରେ ରାଜନୀତି ବେଶ ଉଷ୍ମ ହୋଇ ପଡିଛି ।




















