ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତ ନୋଉପଡାର ଅବସରପ୍ରାପ୍ତ ଶିକ୍ଷକ ବୈଦ୍ୟନାଥ ମହାନ୍ତିଙ୍କର ଗତକାଲି ରାତି ପ୍ରାୟ ୯ଟା ସମୟରେ ଦେହାନ୍ତ ହୋଇଥିଲା । ଆଜି ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସକାଳୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ପୁରାତନ ଛାତ୍ରଛାତ୍ରୀ ତାଙ୍କ ବାସଭବନକୁ ଆସି ତାଙ୍କୁ ଶେଷ ଦର୍ଶନ କରିବା ସହିତ ପୁଷ୍ପଗୁଛ ଅର୍ପଣ କରିଥିଲେ । ଏହା ପରେ ଏକ ବିଶାଳ ପଟୁଆରରେ ତାଙ୍କ ମୃତ ଦେହକୁ ରୁଦ୍ର ଚରଣ ଉଚ୍ଚ ବିଦ୍ୟାଳୟ ସହିତ ସୁଜନପୁର ବଜାର ପରିକ୍ରମା କରାଯାଇଥିଲା । ଏହା ପରେ ଗ୍ରାମ୍ୟ ସ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଶତାଧିକ ବ୍ୟକ୍ତିଙ୍କ ଉପସ୍ଥିରେ ବଡ଼ ପୁଅ ଶିକ୍ଷକ ରାମକୃଷ୍ଣ ମହାନ୍ତି ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ବହୁ ବ୍ୟକ୍ତି ତାଙ୍କ ଭଳି ଜଣେ ସରଳ, ମେଳାପି, ଛାତ୍ର ବତ୍ସଳ ବ୍ୟକ୍ତି ମିଳିବା ବିରଳ, ସୁଜନପୁର ତାର ଜଣେ ପ୍ରିୟ ମଣିଷଙ୍କୁ ହରାଇଲା ବୋଲି କହି ଶୋକ ପ୍ରକାଶ କରିଛନ୍ତି ।
