ଓଡ଼ିଶା ଲିଡ୍ସ(ବ୍ୟୁରୋ): ଚଳିତ ବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆସନ୍ତା ୧୮ ତାରିଖରୁ ଏବଂ ବାର୍ଷିକ ମାଧ୍ୟମିକ ପରୀକ୍ଷା ସମେତ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ୧୯ ତାରିଖରୁ ଆରମ୍ଭ ହେଉଛି । ଚଳିତ ବର୍ଷ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଆୟୋଜିତ ହୋଇ ଯାଇଛି ।
ଚଳିତ ବର୍ଷ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବା ସମସ୍ତଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ ପୂର୍ବକ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ସୁଚାରୁରୁପେ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଦେବା ସହିତ ବିଭିନ୍ନ ପରାମର୍ଶ ଦେଇଛନ୍ତି।
ଉକ୍ତ ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନେ ଯୋଗଦେଇଥିଲେ। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡଃ. ଏନ୍ ତିରୁମାଳା ନାଏକଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା, ଉପ ଶାସନ ସଚିବ ଯଶବନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଅମୁଲ୍ୟ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଚକ୍ରଧର ବେହେରା ପ୍ରମୁଖ ଉପସ୍ଥିତ ରଖି ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ବିସ୍ତୃତ ତଥ୍ୟ ରଖିଥିଲେ।




















