ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ପ୍ରବଳ ବର୍ଷା ହେବା ଓ ପୁଣି ଆଜି ପ୍ରବଳ ବର୍ଷା ହେବା ଫଳରେ ସୁଜନପୁର ପଞ୍ଚାୟତ ହସନପୁର ନିକଟରେ ଏକ ପୋଲର ଆପ୍ରୋଚ ରୋଡ଼ ସମ୍ପୂର୍ଣ୍ଣ ଭାଷି ଯାଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଏକ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗତକାଲି ପ୍ରବଳ ବର୍ଷା ହେବା ଫଳରେ ନାଳ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ପାଣି ଜମି ରହିଥିଲା । ଆଜି ପୁନର୍ବାର ବର୍ଷା ହେବାରୁ ଅଧିକ ପାଣି ଜମିଥିଲା । ହେଲେ କଲଭର୍ଟର ଫୁକାର ଦେଇ ବର୍ଷା ପାଣି ନିଷ୍କାସିତ ହୋଇ ପାରି ନଥିଲା । ଫଳରେ ଏହି କଲଭର୍ଟର ଆପ୍ରୋଚ ରୋଡ଼କୁ ଏହା ଭସାଇ ନେଇଥିଲା । ଆଜି ଦିନ ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଥିଲା । ଏବେ ବର୍ଷା ପାଣିର ସ୍ରୋତ କମିଥିଲେ ମଧ୍ୟ ସେହି ରାସ୍ତା ଦେଇ ଗତାଗତ କରିବା ସମ୍ଭବ ହେଉନାହିଁ । ଏହି ରାସ୍ତା ଉପରେ ଛନ୍ଦା ଓ ଦୁର୍ଗାପୁର ଗ୍ରାମବାସୀ ନିର୍ଭର କରୁଥିଲା ବେଳେ ସେମାନଙ୍କ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଛନ୍ତି । ତୁରନ୍ତ ଏହାକୁ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
