ଓଡ଼ିଶା ଲିଡ୍ସ(ବ୍ୟୁରୋ): ମୁହାଁ ମୁହିଁ ହୋଇଛନ୍ତି ଦୁଇ ମହାଶକ୍ତି ଚୀନ ଓ ଆମେରିକା । ଶୁଳ୍କ ସର୍ତ୍ତକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ହଠାତ୍ ତିକ୍ତ ହୋଇଉଠିଛି । ଉଭୟ ରାଷ୍ଟ୍ର ପରସ୍ପର ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେବା ବିବାଦକୁ ଅଧିକ ଘନୀଭୂତ କରିଛି । ଗତକାଲି ଚୀନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ଏକ ବୟାନରେ କୁହାଯାଇଛି ଯେ ଆମେରିକା ସହ ଆମେ ଯେ କୌଣସି ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ଏଭଳି ଧମକ ପରେ ଆମେରିକା ଆଜି ଏହାର ଜବାବ ଦେଇଛି। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗ ସେଥ କହିଛନ୍ତି ଚୀନ ସହ ଯୁଦ୍ଧ ପାଇଁ ଆମେରିକା ମଧ୍ୟ ପ୍ରସ୍ତୁତ ଅଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଆମେରିକୀୟଙ୍କ ସ୍ବାର୍ଥ ରକ୍ଷା ପାଇଁ କଠୋର ନିଷ୍ପତ୍ତି ନେଉଛନ୍ତି। ଆମେ ଯେ କୌଣସି ଆହ୍ବାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରତିରକ୍ଷା ସଚିବ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଆମେରିକାରେ ଥିବା ଚୀନ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଥିଲା ଯଦି ଆମେରିକା ଯୁଦ୍ଧ ଚାହୁଛି ତାହେଲେ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ । ଶୁଳ୍କ ଯୁଦ୍ଧ ହେଉ କି ବାଣିଜ୍ୟ ଯୁଦ୍ଧ କିମ୍ବା ଅନ୍ୟ କୌଣସି ପ୍ରକାରର ଯୁଦ୍ଧ ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ ଅଛୁ।
ଅପରପକ୍ଷେ ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗ ସେଥ କହିଛନ୍ତି, ଶାନ୍ତି ସ୍ଥାପନା ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଦରକାର। ସଂଘର୍ଷକୁ ରୋକିବା ପାଇଁ ସାମରିକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହେଗ୍ସେଥ ଚୀନ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଆମ ସେନାକୁ ସର୍ବଶକ୍ତିମାନ କରୁଛୁ। ଶାନ୍ତି ପାଇଁ ଆମକୁ ସର୍ବାଧିକ ଶକ୍ତିଶାଳୀ ହେବାକୁ ପଡ଼ିବ ଏବଂ ଆମେରିକା ଏଥିରେ କୌଣସି ସାଲିସ କରିବ ନାହିଁ । ଚୀନ କ୍ରମାଗତ ଭାବେ ନିଜର ସାମରିକ ଶକ୍ତି ବଢ଼ାଇବା ସହ ଏବେ ଆମେରିକାକୁ ନାଲି ଆଖି ଦେଖାଉଥିବାରୁ ଆମେରିକା ପ୍ରତିରକ୍ଷା ସଚିବ ଏହାର ଦୃଢ଼ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ ନିଜର ପ୍ରତିରକ୍ଷା ଖର୍ଚ୍ଚ ଦ୍ରୁତ ଗତିରେ ବଢ଼ାଉଛି। ଆମେରିକାର ସମକକ୍ଷ ହେବାପାଇଁ ଚୀନ ଏଭଳି ନୀତିରେ କାମ କରୁଛି ବୋଲି ସେଥ କହିଛନ୍ତି।