ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ଅଞ୍ଚଳର ବିଶିଷ୍ଟ ଡାକ୍ତର ସୁରେଖା ଓଝାଙ୍କର ଆଜି ସକାଳ ସାଢେ ୬ଟା ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେଲା ପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ବିଶିଷ୍ଠ ଶିକ୍ଷାବିତ, ସ୍ୱର୍ଗତ ପ୍ରଫେସର କୃଷ୍ଣଚନ୍ଦ୍ର ଓଝାଙ୍କୁ ସେ ବିବାହ କରିବା ପରେ ୧୯୭୦ ମସିହାରୁ ତାଙ୍କ ବରୀ ବାଗଦା ସ୍ଥିତ ବାସଭବନରେ ନାରୀ ମଙ୍ଗଳ ସେବା ସଦନ ନାମରେ ଘରୋଇ ଚିକିତ୍ସାଳୟ ସ୍ଥାପନ କରି ରୋଗୀ ସେବା ଆରମ୍ଭ କରିଥିଲେ । ଦେହାନ୍ତର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ଅସୁସ୍ଥତା କାରଣରୁ ଚିକିତ୍ସା ସେବାରୁ ଅବ୍ୟାହତି ନେଇଥିଲେ । ଜଣେ ମହିଳା ଓ ଶିଶୁ ଚିକିତ୍ସକ ଭାବେ ସେ ବେଶ କ୍ଷାତି ଅର୍ଜନ କରିଥିଲେ ।
ତାଙ୍କ ଦେହାନ୍ତ ଖବର ପାଇ ବରୀ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ଦେହାନ୍ତରେ ତାଙ୍କ ପାରିବାରିକ ବନ୍ଧୁ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ବରିଷ୍ଠ ବିଜେଡି ନେତା ବିଜୟ ନାୟକ, ବିଜେପି ନେତା ଉମେଶ ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।




















