ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକର ଜୀବନ ରେଖା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତା । ଏହି ରାସ୍ତାରେ ରହିଛି କନ୍ତକାର ସେତୁ । ପୂର୍ବରୁ ଏହି ରାସ୍ତା ଜଳ ସମ୍ପଦ ବିଭାଗ ଅଧିନରେ ଥିଲା ବେଳେ ଏବେ ପୂର୍ତ୍ତ ବିଭାଗ ନିକଟରେ ରହିଛି । ନିକଟରେ ଏହି ରାସ୍ତା ପ୍ରଶସ୍ଥ କରାଯାଇ ନୂତନ ଭାବେ ପିଚୁ କରାଯାଇଛି । ବିଭିନ୍ନ ସ୍ଥାନରେ ଆଲୁମିନିୟମ ବାଡ଼ା ବି ନିର୍ମାଣ ହୋଇଛି । ହେଲେ ବିଡ଼ମ୍ବନାର ବିଷୟ ବିପଦପୂର୍ଣ୍ଣ କନ୍ତକାର ସେତୁର ବାଡ଼ା ପୁନଃ ନିର୍ମାଣ କରିବାକୁ ବିଭାଗ ଗୁରୁତ୍ୱ ଦେଇ ନାହିଁ । ସତେ ଯେମିତି ବିଭାଗ ପଥଚାରୀଙ୍କୁ ମରଣ ମୁହଁକୁ ଠେଲି ଦେବାକୁ ପଣ କରିଛି । ସେତୁ ନିକଟ ରାସ୍ତାରୁ ପଥଚାରୀ କିମ୍ବା ଗାଡି ଖସି ପଡିଲେ ପ୍ରାୟ ୨୦ ଫୁଟ ତଳେ ପଡିବ । ଏହି ସ୍ଥାନରେ ବିପୁଳ ପରିମାଣର ପଥର ଗଦା ହୋଇଛି । ତେଣୁ ସ୍ଥିତି କଣ ହେବ ତାହା ସ୍ପଷ୍ଟ ଅନୁମେୟ ।
ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ବଡ଼ ଛୋଟ ଗାଡି ସହିତ ବାଇକ, ସାଇକେଲ ଗତାଗତ କରୁଛି । ସାମାନ୍ୟ ଅସାବଧାନତା ବିପଦର କାରଣ ହେବା ନିଶ୍ଚିତ । ହେଲେ ବିଭାଗୀୟ ଅଧିକାରୀ ଏଠାରେ କାହିଁକି ସ୍ଥାୟୀ ବାଡ଼ା ନିର୍ମାଣ କରୁ ନାହାନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ତୁରନ୍ତ ଏହି ସେତୁର ଉଭୟ କଡ଼ରେ ବାଡ଼ା ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।




















