ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବାଲିବିଲି ନିକଟ ଖରସ୍ରୋତା ଶାଖା ନଦୀ ନୂଆ ନଈର ଦୁଧେଇ ନାଳରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି । ବରୀ କଳାମାଟିଆ ରାସ୍ତାର ଅବସର ପ୍ରାପ୍ତ ସୈନିକ ସଂଘ କାର୍ଯ୍ୟଳୟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନର ଜଣେ ଯୁବକ ବୁଡି ଯାଉଥିଲେ । ଏହାକୁ ଦେଖି ରାସ୍ତାରେ ଯାଉଥିବା ଜଣେ ଅଟୋ ଚାଳକ ଯୁବକକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ଥିଲେ। ମାତ୍ର ଅଟୋ ଚାଳକ ଯୁବକଙ୍କ ନିକଟରେ ପହଞ୍ଚିବା ପୁର୍ବରୁ ଯୁବକ ଜଣଙ୍କ ନଦୀରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଲୋକେ ବରୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଓ ଘଟଣାକୁ ମିଥ୍ୟା ବୋଲି କହି ତର୍ଜମା କରି ସମୟ ଗଡ଼େଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ପରେ ଯୁବକ ଜଣଙ୍କ ନଦୀରେ ବୁଡୁଥିବା ସମୟର ଏକ ଭିଡିଓ ମୋବାଇଲରେ ଭାଇରାଲ ହୋଇଥିଲା । ଏହାକୁ ଦେଖିବା ପରେ ଅଗ୍ନିଶମ ବାହିନୀ ବୋଟ ସହାୟତାରେ ଖୋଜା ଖୋଜି ଆରମ୍ଭ କରିଥିଲେ।
ଖବର ପାଇ ଘଟଣାସ୍ଥଳରେ ବରୀ ପୋଲିସ ପହଞ୍ଚିଥିଲା । ପ୍ରାୟ ୧ ଘଣ୍ଟା ଖୋଜିବା ପରେ ଯୁବକ ଜଣଙ୍କୁ ଉଦ୍ଧାର କରି ଯୁବକଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣଙ୍କ ବରୀ ଥାନା ଅନ୍ତର୍ଗତ ଡିହବାରିଙ୍ଗି ଗ୍ରାମର ବିକ୍ରମ ରାଉତଙ୍କ ପୁଅ ସତ୍ୟଜିତ ରାଉତ(୨୬) ବୋଲି ଜଣା ପଡ଼ିଛି।




















