ଓଡ଼ିଶା ଲିଡ୍ସ(ବ୍ୟୁରୋ): ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ଭୂସ୍ଖଳନ ହେବାରୁ ଏକ ବସ ମାଟି ଓ ପଥର ତଳେ ଚାପି ହୋଇ ଯାଇଛି । ଏହା ଫଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଭଗ୍ନାବଶେଷ ତଳେ ଅନ୍ୟମାନେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଘରୋଇ ବସଟି ୩୦ରୁ ଅଧିକ ଲୋକଙ୍କୁ ଧରି ହରିୟାଣାର ରୋହତକରୁ ଘୁମରୱିନ୍ ଯାଉଥିଲା। ଏତିକି ବେଳେ ପ୍ରବଳ ବର୍ଷା ପରେ ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ପଥର ଓ ମାଟି ଅତଡା ଖସି ବସ୍ ଉପରେ ପଡ଼ିଥିଲା।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ଆହତଙ୍କୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।




















