ଓଡ଼ିଶା ଲିଡ୍ସ(ସୁକିନ୍ଦା):ସୁକିନ୍ଦା ସ୍ଥିତ ଖଣ୍ଡୁରାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଛାତ୍ରୀ ମାନଙ୍କୁ ଅସଦାଚରଣ କରିଥିବା ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଖଣ୍ଡୁରାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୮ଜଣ ଶିକ୍ଷକ ଓ ୩ଜଣ ଶିକ୍ଷୟତ୍ରୀ ଅଛନ୍ତି । ଜଣେ ଶିକ୍ଷକ ଗତ ମଙ୍ଗଳବାର ଦିନ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଛାତ୍ରୀ ନିଜ ଅଭିଭାବକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଆଜି ବିଦ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରୀ ଶ୍ରେଣୀ ଗୃହ ଛାଡ଼ି ହୋ ହାଲ୍ଲା କରିଥିଲେ । ଏହି ଖବର ପାଇ ଅନେକ ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ସହ ବ୍ଲକ ଶିକ୍ଷାଧିକାରୀ ଓ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ ।
ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାସୁଝା କରି ସଂପୃକ୍ତ ଶିକ୍ଷକଙ୍କୁ ଥାନାକୁଗ ନେଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହାକୁ ନେଇ ଦୀର୍ଘ ସମୟ ଧରି ସ୍କୁଲରେ ଉତ୍ତେଜନା ଲାଗି ରହିଥିଲା। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ପ୍ରଧାନ, ପ୍ରେମାଞ୍ଜଳୀ ନାୟକ, ଥାନା ଅଧିକାରୀ ବିଲ୍ଵମଙ୍ଗଳ ସେଠୀ, ପରିଚାଳନା କମିଟି ସଭାପତି, ସମ୍ପାଦକ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଘଟଣା ସମ୍ପର୍କରେ ଆଲୋଚନା ପରେ ବ୍ଲକ ଶିକ୍ଷାଧିକାରୀଙ୍କ ପରାମର୍ଶରେ ଘଟଣାର ସବିଶେଷ ତଥ୍ୟ ଜାଣିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ବ୍ଲକ ଶିକ୍ଷା ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଦାୟିତ୍ଵ ପ୍ରଦାନ କରାଯାଇଛି। ଆସନ୍ତା କାଲି ଉଭୟ କମିଟି ବିଦ୍ୟାଳୟର ଛାତ୍ରୀ, ଅଭିଭାବକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଭେଟି ସେମାନଙ୍କ ରିପୋର୍ଟ ଦେବାପରେ ଜିଲ୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣୟ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ନାରାୟଣ ଦାସ ସୂଚନା ଦେଇଛନ୍ତି। ଆସନ୍ତା କାଲି ଦଶମ ଶ୍ରେଣୀକୁ ଛୁଟି ଘୋଷଣା କରିବା ସହ ଅଭିଯୋଗ ଥିବା ଶିକ୍ଷକ ମାନଙ୍କୁ କ୍ଲାସ ନକରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଥିବା ଜଣା ଯାଇଛି ।




















