ଓଡ଼ିଶା ଲିଡ୍ସ(ଯାଜପୁର): ବିଗତ ଦିନରେ ବରୀ ବ୍ଲକରେ ବ୍ୟାପକ ବିକାଶ କାର୍ଯ୍ୟ ହୋଇଛି । ରାସ୍ତା ଘାଟର ବିକାଶ ହେବା ସହିତ ନଦୀ ନାଳ ଘେରା ବରୀ ଅଞ୍ଚଳରେ ସଂଖ୍ୟାଧିକ ବଡ଼ ଛୋଟ ସେତୁ ନିର୍ମାଣ ହୋଇଛି । ବିଭିନ୍ନ ସରକାରୀ କୋଠା ମଧ୍ୟ ନିର୍ମାଣ ହୋଇଛି । ହେଲେ ବିଡ଼ମ୍ବନାର ବିଷୟ ରାଜ୍ୟର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ତଥା ଯାଜପୁର ଜିଲ୍ଲାର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ରାସ୍ତା କିନ୍ତୁ ଅବହେଳିତ ହୋଇ ପଡି ରହିଛି । ରାସ୍ତାକୁ ପ୍ରଶସ୍ଥ କରିବାକୁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି ପୁରାତନ ମହାବିଦ୍ୟାଳୟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଭିନ୍ନ ସମୟରେ ବ୍ଲକ ସ୍ତରର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ଏହି କଲେଜରେ ଅନୁଷ୍ଠିତ ହେଉଛି । ବିଧାନସଭା, ଲୋକସଭା ଓ ପଞ୍ଚାୟତ ନିର୍ବାଚନ ଏହି କଲେଜରୁ ପରିଚାଳନା କରାଯାଉଛି । ନିର୍ବାଚନ ସମୟରେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ଏହି କଲେଜରେ ରହୁଥିବା ଦେଖିବାକୁ ମିଳିଥାଏ । ଏହି ସମୟରେ ଆସୁଥିବା ବଡ଼ ବଡ଼ ଗାଡି ଏହି ଅଣଚୌଡା ରାସ୍ତାରେ ଗତାଗତ କରିବାରେ ସମସ୍ୟା ସୃଷ୍ଟି କରିଥାଏ ।
ରାମଚନ୍ଦ୍ରପୁର ଠାରୁ ରାଜାତୋଟା ଯାଇଥିବା ରାସ୍ତାରୁ କଲେଜ ପର୍ଯ୍ୟନ୍ତ ରାସ୍ତା ଯାଇଛି । ଏହି ରାସ୍ତାରେ କଲେଜର ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସହିତ ନିକଟସ୍ଥ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ ଗତାଗତ କରୁଥିଲା ବେଳେ ଭବାନୀପୁର ଗ୍ରାମବାସୀ ମଧ୍ୟ ଗତାଗତ କରୁଛନ୍ତି । ବିଭିନ୍ନ ସମୟରେ ଏହି ରାସ୍ତା ଢ଼ଳେଇ ହୋଇଥିଲେ ମଧ୍ୟ ଏବେ ଏହା ଭାଙ୍ଗିରୁଜି ଗଲାଣି । ଏହି ରାସ୍ତାକୁ ପ୍ରଶସ୍ଥ କରି ଢ଼ଳେଇ କରିବାକୁ ଛାତ୍ରଛାତ୍ରୀ, ଗ୍ରାମବାସୀ ଦାବି କରିଛନ୍ତି । ଜିଲ୍ଲାପାଳ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଅବିଭାବକ ମହଲରେ ଦାବି ହୋଇଛି ।




















