ଓଡ଼ିଶା ଲିଡ୍ସ(ବ୍ୟୁରୋ): ହୋଲି ଉତ୍ସବ ଭିତରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ଏହି କମ୍ପନ ସୃଷ୍ଟି କରିଛନ୍ତି ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା । ଅଶୋକ ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି । ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ “ଧର୍ମପଦ” ଉପାଖ୍ୟାନକୁ ନେଇ ବଡ଼ ଚର୍ଚ୍ଚା ସୃଷ୍ଟି ହୋଇଛି । ଦଳର ବିପର୍ଯ୍ୟୟ ପରେ ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ ଅଶୋକ ଟାର୍ଗେଟ କରିଛନ୍ତି। ଅଶୋକଙ୍କ ୧୨ଶହ ବଢେଇରେ ଦାୟ ନା ପୁଅରେ ଦାୟ କାହାକୁ ଇଙ୍ଗିତ ବୋଲି ଏବେ ଜୋରଦାର ଚର୍ଚ୍ଚା । ଆଗକୁ ଦଳର ସାଙ୍ଗଠନିକ ନିର୍ବାଚନ ହେବାକୁ ଯାଉଥିଲା ବେଳେ ଆଗଧାଡ଼ିର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଦରକାର ବୋଲି ଅଶୋକ କହିଛନ୍ତି ।
ନିର୍ବାଚନରେ ପରାଜୟ ପରେ ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ବିଜେଡିର ସ୍ଥିତି ଏବେ ଟଳମଳ । ଯେଉଁ ମାନେ ଶାସନରେ ଥିବା ବେଳେ ଚୁପ୍ ରହୁଥିଲେ ସେମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ରାଜା ଚକ୍ର ଘଟଣାରେ ବରିଷ୍ଠ ନେତା ବଦ୍ରୀ ପାତ୍ର ମୁହଁ ଖୋଲି ଦଳକୁ ଅକଳରେ ପକାଇଥିଲେ, ଆଉ ଆଜି ଅଶୋକ ତେରଛା ବାଣ ମାରିଛନ୍ତି । ଅଶୋକ ଆହୁରି କହିଛନ୍ତି ନବୀନଙ୍କୁ ଶକ୍ତିଶାଳୀ କରିବାକୁ ଆଗଧାଡ଼ିର ନେତା ଦୂରେଇ ରହିଲେ ଭଲହେବ । ତଥାକଥିତ ଆଗଧାଡ଼ିର ନେତା ମାନେ ନିଜକୁ ଦାୟିତ୍ବରୁ ଓହରାଇ ନେଇ ଅନ୍ୟକୁ ସୁଯୋଗ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । ମନ ଭିତରେ ରହିଥିବା ମତାନ୍ତର ଓ ମନାନ୍ତରକୁ ଭୁଲିଯାଇ ଏକାଠି ହେଲେ ଦଳ ସୁଦୃଢ ହେବ ବୋଲି ମଧ୍ୟ କହିଛନ୍ତି ଅଶୋକ । ଅନ୍ୟପକ୍ଷରେ ଧର୍ମପଦ ଉପାଖ୍ୟାନ ପାଣ୍ଡିଆନଙ୍କ ଆଡ଼କୁ ଅଶୋକଙ୍କ ଇଙ୍ଗିତ ବୋଲି ଚର୍ଚ୍ଚା ହେଉଛି । ବରିଷ୍ଠ ନେତା ଅଶୋକଙ୍କ ଏହି ଉପାଖ୍ୟାନ ପରେ ନବୀନ କି ପଦକ୍ଷେପ ନେଉଛନ୍ତି ତା ଉପରେ ଏବେ ନଜର ।