ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜୁ ଜନତା ଦଳରେ ବିବାଦ ବଢୁଥିଲା ବେଳେ କଳିକେଶ ସିଂଦେଓଙ୍କ ନାମ ନେଇ କଳି ମଞ୍ଜି ପୋତିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାରେ କିଛି ଦିନ ହେଲା ବିରାମ ଲାଗିଥିଲା ଦିବ୍ୟଶଙ୍କର ପୁଣି ଉତ୍ତରାଧିକାରୀ ଚର୍ଚ୍ଚା ପ୍ରସଙ୍ଗକୁ ଖୋରାକ ଯୋଗାଇଛନ୍ତି । ବିଧାୟକ ଦିବ୍ୟଶଙ୍କର ମିଶ୍ର ଖୋଲାଖୋଲି ଭାବେ ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ରାଜ୍ୟ ବିଜେଡିର ନେତୃତ୍ୱ ନିଅନ୍ତୁ ବୋଲି କହିଛନ୍ତି । ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଖାସ ଅନୁଗତ ଭାବେ ପରିଚିତ ଦିବ୍ୟଶଙ୍କରଙ୍କ ଏହି ବୟାନକୁ ନେଇ ଦଳରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟ ପକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ସକ୍ଷମ ଅଛନ୍ତି କହି ଉତ୍ତରାଧିକାରୀ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା । ପିସିସି ସଭାପତି ଭକ୍ତଚରଣ ଦାସ ନବୀନ ପଟ୍ଟନାୟକ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ପରାମର୍ଶ ଦେଇଛନ୍ତି।
ବିଜେଡି ସଭାପତି ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ଏବେ ବେଶ ସକ୍ରିୟ ଥିବାବେଳେ ଦିବ୍ୟଶଙ୍କର ମିଶ୍ର କାହିଁକି କଳିକେଶଙ୍କୁ ନେଇ ଏଭଳି ବୟାନ ଦେଲେ ତାକୁ ନେଇ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । କଳିକେଶ ନାରାୟଣ ସିଂ ଦେଓଙ୍କୁ ରାଜ୍ୟର ନେତୃତ୍ୱ ନେବା ପାଇଁ ଆହ୍ୱାନ ଦେଇ ସିଧାସଳଖ ନବୀନଙ୍କ ନେତୃତ୍ୱକୁ ଦିବ୍ୟଶଙ୍କର ଚ୍ୟାଲେଞ୍ଜ କରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଅନ୍ୟ ପକ୍ଷରେ ନୟାଗଡ଼ର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଜଣେ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତୁଛନ୍ତି ମାନେ ତାଙ୍କର ଦକ୍ଷତା ଅଛି। ଯୋଗ୍ୟତା ଓ ଦକ୍ଷତା ଅଛି ବୋଲି ନିର୍ବାଚନ ଜିତୁଛନ୍ତି। ସମସ୍ତଙ୍କ ପାଖରେ ଦକ୍ଷତା ଅଛି । ଦଳରେ ବୟସ୍କ ଲୋକଙ୍କ ଅନୁଭବର ଯେତିକି ଆବଶ୍ୟକ ରହିଛି ଯୁବ ନେତୃତ୍ୱର ସାମର୍ଥ୍ୟ ବି ସେତିକି ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅରୁଣ ।
ନିକଟରେ ନବୀନ ପଟ୍ଟନାୟକ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଅନ୍ୟତମ ବିଧାୟକ ସନାତନ ମହାକୁଡ଼ଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଦେଖାଇ ଦଳରୁ ନିଲମ୍ବିତ କରିଥିଲା ବେଳେ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନେବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।




















