ଓଡ଼ିଶା ଲିଡ୍ସ(ବ୍ୟୁରୋ):ବିଜେଡି ହାତ ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଅମର ବିଜେଡିର ଆଇଟି ସେଲ୍ ମୁଖ୍ୟ ଥିଲେ ।
ବିଜେପିରେ ସାମିଲ ହେବା ପରେ ଅମର କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ସେ ବିଜେପିରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ ବିଜେପି ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ ବହୁତ ଭଲ କାମ କରୁଛନ୍ତି । ବିଜେପି ସରକାର ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ନକ୍ସଲବାଦ ମୂଳପୋଛ ହେବାକୁ ବସିଲାଣି। ଏହା କିଛି କମ୍ କଥା ନୁହେଁ ବୋଲି ସେ କହିଛନ୍ତି ।
ଅମର ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଵିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ ବିଜେପିରେ ସାମିଲ ହେଲେ ଦଳ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି । ତାଙ୍କର କୌଣସି ନିର୍ବାଚନ ମଣ୍ଡଳୀ ଭୋଟରଙ୍କ ଉପରେ ପ୍ରଭାବ ନଥିବା ସେ କହି ତାଙ୍କ ମିଶ୍ରଣକୁ ଗୌଣ କରିଛନ୍ତି ।




















