ଓଡ଼ିଶା ଲିଡ୍ସ(ଯାଜପୁର): ନିଜ ଅନୁଷ୍ଠାନର ସଫଳତାର ଗାଥା ଗାଇବାକୁ ବିଭିନ୍ନ ଘରୋଇ ଅନୁଷ୍ଠାନ ରାସ୍ତା ମଝିରେ ଲାଗିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟକୁ ସାହାରା କରିଛନ୍ତି । ନିଜ ଘରୋଇ ଅନୁଷ୍ଠାନର ପ୍ରଚାର ପାଇଁ ରାସ୍ତା ମଝି ଗଛ ଓ ବିଦ୍ୟୁତ ଖୁଣ୍ଟରେ ବିପୁଳ ସଂଖ୍ୟାରେ ଓ ବିପଦପୂର୍ଣ୍ଣ ଭାବେ ହୋର୍ଡିଂ ଲଗା ଯାଇଛି । ଏହା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ରାସ୍ତା ୨୦ ନମ୍ୱର ଜାତୀୟ ରାଜପଥ ମଲ୍ଲିକାପୁର ଠାରୁ ମାନସା ପୋଲ ରାସ୍ତାରେ ।
ଏହି ରାସ୍ତା ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା । ଦୈନିକ ହଜାର ହଜାର ସଂଖ୍ୟାରେ ଛୋଟ ବଡ଼ ଗାଡି ସହିତ ଦୁଇ ଚକିଆ ଯାନ ଗତାଗତ କରୁଛି । ଲାଗିଥିବ ହୋର୍ଡିଂ ଗୁଡିକ ରାସ୍ତା ଡିଭାଇଡ଼ର ଉପରେ ବିପଦପୂର୍ଣ୍ଣ ଭାବେ ରଖା ଯାଇଛି । ଯାହା ଯେ କୌଣସି ସମୟରେ ଦୁର୍ଘଟଣାର କାରଣ ହେବ । ଏହି ରାସ୍ତା ଦେଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ଗତାଗତ କରୁଥିଲା ବେଳେ ଏହା ସେମାନଙ୍କ ନଜରକୁ କିଭଳି ଆସୁନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଏହା ଛଡା ଏହି ହୋର୍ଡିଂ ଲଗାଇବାକୁ ସମ୍ପୃକ୍ତ ଘରୋଇ ଅନୁଷ୍ଠାନ କାହା ଠାରୁ ଅନୁମତି ଆଣିଛନ୍ତି ସେ ନେଇ ତଦନ୍ତ କରିବା ସହିତ ଏହାକୁ ରାସ୍ତା କଡ଼ରୁ ହଟାଇବାକୁ ସାଧାରଣରେ ଦାବି ହୋଇଛି ।