ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ବାଜି ମାରିନେଇଛି । ଇତିମଧ୍ୟରେ ଦୁବାଇ ଦଙ୍ଗଲକୁ ଦୁଇ ଦିନ ବିତିଗଲାଣି । ଦୁବାଇ ଷ୍ଟାଡିୟମ ରବିବାର ରଣକ୍ଷେତ୍ର ପାଲଟିଥିଲା ଦୁଇ ଦଳର ଖେଳାଳିଙ୍କ ପାଇଁ । ସମସ୍ତେ ନିଜ ନିଜ ଦଳର ବିଜୟ ପାଇଁ ଲଢେଇ କରିଥିବା ବେଳେ ଟିମ୍ ଇଣ୍ଡିଆର ବିଜୟ ଏବଂ ପାକିସ୍ତାନର ପରାଜୟ ହୋଇଥିଲା ଆଉ ୟା ଭିତରେ ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ବିଦା ବି ହୋଇ ସାରିଲାଣି କିନ୍ତୁ ଆଜି ଯାଏଁ ଭାରତ-ପାକ୍ ଖେଳର ପ୍ରତିଟି ମୁହୂର୍ତ୍ତ ଭାଇରାଲ ହେଉଛି ।
ବିରାଟଙ୍କୁ ନେଇ ପ୍ରଶଂସା କ୍ରିକେଟ୍ ପ୍ରେମୀଙ୍କ ଭିତରେ ଏଯାଏଁ କମୁନି । ଭାରତକୁ ପାକିସ୍ତାନ ବିରୋଧରେ ସେଦିନ ବିରାଟ ହିଁ ବିଜୟ ଆଣି ଦେଇଥିଲେ । କାରଣ ୧୧୧ଟି ବଲରେ ଶତକ ମାରି ସେ ଦିନିକିଆରେ ବ୍ୟକ୍ତିଗତ ଭାବେ ୫୧ଟି ଶତକର ଅଧିକାରୀ ସାଜିଥିବା ବେଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଧୂଳିଚଟାଇ କୋଟି କୋଟି ଭାରତୀୟଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ କିଣି ପାରିଛନ୍ତି ।
