ଓଡ଼ିଶା ଲିଡ୍ସ(ଯାଜପୁର): ବିଶୃଙ୍ଖଳାର ଅନ୍ୟନାମ ହୋଇଛି ବରୀ-ରାମଚନ୍ଦ୍ରପୁର ଥାନା। ବରୀର ପ୍ରମୁଖ ବଜାର ବରୀ ମାଉଣ୍ଡରେ ଟ୍ରାଫିକ ନିୟନ୍ତ୍ରଣ କରି ପାରୁନଥିବା ବରୀ ପୋଲିସ ଥାନା ପରିସରରେ ହାତା ହାତି ହୋଇ ନିଜେ ନିନ୍ଦିତ ହେବା ସହିତ ଥାନାକୁ ବି ନିନ୍ଦିତ କରିଛନ୍ତି । ଥାନାର ରାଇଟର ଦାଦାଗିରି ଦେଖାଇ ଜଣେ କନେଷ୍ଟବଳଙ୍କୁ ହେଲମେଟରେ ପିଟି ବେହୋସ କରିବା ଘଟଣା ବରୀ ଅଞ୍ଚଳରେ କେବଳ ଚର୍ଚ୍ଚା ସୃଷ୍ଟି କରିନାହିଁ ଥାନା ଅଧିକାରିଣୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଳମ୍ବରେ ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ରାତିରେ ଏକ ଚେୟାରରେ ବସିବାକୁ ନେଇ ରାଇଟର ଦୀପକ ରାଉତ କନେଷ୍ଟବଳ ମନୋରଞ୍ଜନ ସାହୁଙ୍କ ମୁଣ୍ଡକୁ ଏକ ହେଲମେଟରେ ପିଟି ଦେଇଥିଲେ । ଫଳରେ ସେ ସେଠାରେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରୁ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ସେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ ବି ଥାନା ଅଧିକାରିଣୀ କେବଳ କାରଣ ଦର୍ଶାଅ ନୋଟିସ କରି ଚୁପ ବସିଥିବା ଜଣା ଯାଇଛି ।
ଏଠାରେ ସୂଚନା ଯୋଗ୍ୟ ରାଇଟର ଦୀପକ ରାଉତ ବିଂଝାରପୁର ଜରି ଫାଣ୍ଡିରେ ଥିଲା ବେଳେ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିଲେ । ପୁନର୍ବାର ସେ ବରୀ ଥାନାରେ ଏଭଳି ଆଚରଣ କରିଛନ୍ତି । ଯଦି ଥାନା କର୍ମଚାରୀ ନିଜ ଭିତରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇ ମେଡ଼ିକାଲ ଯାଉଛନ୍ତି ତେବେ ବରୀ ଅଞ୍ଚଳରେ ସେହି କର୍ମଚାରୀ କିଭଳି ଆଇନ ଶୃଙ୍ଖଳା ରକ୍ଷା କରୁଥିବେ ତାହା ବେଶ ବାରି ହୋଇ ପଡୁଛି । ଥାନା ଅଧିକାରିଣୀ ଚୁପ ବସିଥିଲା ବେଳେ ଉଚ୍ଚ ଅଧିକାରୀ ଏ ନେଇ କି ପଦକ୍ଷେପ ନେଉଛନ୍ତି ତାକୁ ବରୀବାସୀ ଅପେକ୍ଷା କରିଛନ୍ତି ।




















