ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିନା ସର୍ଚ୍ଚ ୱାରେଣ୍ଟରେ ନୂଆପଡା ସ୍ଥିତ ତାଙ୍କ ଭଡାଘରେ ପଶି ପୋଲିସ ସର୍ଚ୍ଚ କରିବା ଓ ଭଙ୍ଗାରୁଜା କରିବା ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନୂଆପଡା ଉପନିର୍ବାଚନରେ ବିଜେଡିର ଜଣେ ଷ୍ଟାର ପ୍ରଚାରକ ରୂପେ ପ୍ରଚାର ଦାୟିତ୍ୱ ତୁଲାଉଥିବା ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନୂଆପଡା ଭଡା ଘରେ ତାଙ୍କ ଅନୁପସ୍ଥିତିରେ ଓ ବିନା ସର୍ଚ୍ଚ ୱାରେଣ୍ଟରେ ପୋଲିସ ସର୍ଚ୍ଚ କରିଥିଲା । ଏହି ସମୟରେ ତାଙ୍କ କେୟାରଟେକର ଏହାର ପ୍ରତିବାଦ କରି ସର୍ଚ୍ଚ ୱାରେଣ୍ଟ ଦେଖାଇବାକୁ କହିଥିଲେ । ହେଲେ ସମ୍ପୃକ୍ତ ଅଧିକାରୀ ଏହା ଦେଖାଇ ପାରିନଥିଲେ । ଫଳରେ ସମ୍ପୃକ୍ତ କେୟାରଟେକର ତାଙ୍କୁ ଘରେ ପଶିବାକୁ ବାରଣ କରିଥିଲେ । ହେଲେ ଅଧିକାରୀ ଜଣକ ପୋଲିସ ସହିତ ଜୋର ଜବରଦସ୍ତ ଘରେ ପଶି ଘର ସର୍ଚ୍ଚ କରିଥିଲେ ଓ ଭଙ୍ଗା ରୁଜା କରିଥିଲେ । ଏହା ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ବିଜେଡି ଦଳ ସହିତ ସାଧାରଣରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହାକୁ ନେଇ ବିଜେଡି ରାସ୍ତାକୁ ଓହ୍ଲାଇଥିଲା । ଏ ନେଇ ଆଜି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଏହାର ପ୍ରତିବାଦ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହା ସହିତ ତାଙ୍କୁ ନିଲମ୍ବନ କରିବା ସହିତ ନିର୍ବାଚନ କାର୍ଯ୍ୟରୁ ଦୁରେଇ ରଖିବାକୁ ମଧ୍ୟ ନିବେଦନ କରିଛନ୍ତି ।


ଇଂ ଘଡାଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ନୂଆପଡାରେ ବିଜେପିକୁ ପରାଜୟର ଭୟ ଘାରିଛି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏଭଳି ବେଆଇନ କାର୍ଯ୍ୟ ହୋଇଛି । ଯାହା ମଡେଲ ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରୁଛି । ନିର୍ବାଚନ କମିଶନଙ୍କ ନିକଟରେ ପ୍ରାର୍ଥନା କରିଛି ଯେଉଁ ମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିଷୟରେ ତଦନ୍ତ କରାଯାଇ ନିର୍ବାଚନ ପ୍ରକ୍ରିୟାରୁ ଦୁରେଇ ରଖାଯାଉ । ନୂଆପଡା ଉପନିର୍ବାଚନ ରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେଉଥିଲା ବେଳେ ନୂଆପଡାବାସୀ କିଭଳି ନିରପେକ୍ଷ ଭାବେ ଓ ସୁରକ୍ଷିତ ଭାବେ ନିଜର ମତାଧିକାର ସାବ୍ୟସ୍ତ କରିବେ ସେଥିପ୍ରତି ନିର୍ବାଚନ କମିଶନ ଦୃଷ୍ଟି ଦିଅନ୍ତୁ ବୋଲି ନିବେଦନ କରିଛି ।




















