ଓଡ଼ିଶା ଲିଡ୍ସ(ଯାଜପୁର): ଦୁଧେଇ ନଦୀରେ ଗତ ମଙ୍ଗଳବାର ବୁଡି ଯାଇ ମୃତ୍ୟୁ ବରଣ କରିଥିବା ଯୁବକ ସତ୍ୟଜିତ ରାଉତଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଉଛି । ମୃତ ସତ୍ୟଜିତ୍ ରାଉତ(ରିସୁ)ର ପରିବାର ପକ୍ଷରୁ ଏହା ଏକ ଅପମୃତ୍ୟୁ ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବରୀ ଥାନାରେ ଅଭିଯୋଗ କରାଯାଇଛି।
ମୃତ ରିସୁର ଦାଦା ବରୀ ଥାନା ଅଧିନ ଢିହବାରିଂ ଗ୍ରାମର ଦୀପକ କୁମାର ରାଉତ କରିଥିବା ଅଭିଯୋଗ ଅନୁଯାୟୀ ଗତ ୩ତାରିଖ ମଙ୍ଗଳବାର ଦିନ ରିସୁ ଘରେଥିବା ବେଳେ ଦିନ ୧୧ଟା ବେଳେ ତାର ଅନ୍ୟାସୀପୁର ଗ୍ରାମର ସାଙ୍ଗ ବିଜୟ କୁମାର ପାତ୍ର(ବୁବୁଆ) ଓ ତାର ଆଉଜଣେ ସାଙ୍ଗ ଘରେ ପହଞ୍ଚି ରିସୁକୁ ଘରୁ ଡ଼ାକି ନେଇ ବରୀ ଆସିଥିଲେ। ନେଉଳା ଛକ ଠାରେ ଥିବା ଜନଔଷଧୀ କେନ୍ଦ୍ର ନିକଟ ଗ୍ୟାରେଜରେ ରିସୁ କଥା ହେଉଥିବା ବେଳେ ବୁବୁଆ ଓ ତାର ରିସୁକୁ ଗାଡ଼ିରେ ବସାଇ ନେଇଯାଇଥିଲେ। ସେହି ସମୟରେ ବୁବୁଆ ଓ ତାର ସାଙ୍ଗ ମଦ୍ୟପାନ କରିଥିଲେ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ରିସୁ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଖୋଜାଖେଜି ଆରମ୍ଭ ହୋଇଥିଲା। ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ରିସୁ ଓ ତାର ସାଙ୍ଗର ଫୋନ ସୁଇଚ୍ ଅଫ ଦେଖାଇଥିଲା। ପରବର୍ତ୍ତି ସମୟରେ ଖୋଜାଖୋଜି କରି ବରୀକୁ ଆସୁଥିଲା ବେଳେ ଛତର ନିକଟରେ ନଦୀରୁ ଏକ ଯୁବକର ଶବ ଉଦ୍ଧାର କରି ଅଗ୍ନିଶମ ବାହିନୀ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛି ବୋଲି ଖବର ପାଇଁ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।
ତେବେ ସାଙ୍ଘରେ ଡାକି ଆଣିଥିବା ତାର ସାଙ୍ଗ ବୁବୁଆ କିମ୍ବା ବୁବୁଆର ସାଙ୍ଗର ଦେଖା ନଥିଲା ଏବଂ ଉଭୟଙ୍କ ମୋବାଇଲ ସୁଇଚ୍ ଅଫ ରହିଥିଲା। ଯାହାକୁ ନେଇ ମୃତ ସତ୍ୟଜିତର ଦାଦା ସଦେହ ପ୍ରକାଶ କରିବା ସହିତ ତାର ଦୁଇ ସାଙ୍ଗ ତାକୁ ମାରଧର କରି ନଦୀକୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି। ମୃତ ଯୁବକର ମୁଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କ୍ଷତିଚିହ୍ନ ଥିବା ଜଣାଯାଇଛି । ତେଣୁ ତାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରପକ୍ଷରୁ ଅଭିଯୋଗ କରାଯାଇଛି। ଥାନା ପକ୍ଷରୁ ଅଭିଯୋଗକୁ ଭିତିକରି ଏକ ହତ୍ୟାମମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ମାମଲାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଜ୍ୟେର୍ତିମୟୀ ସେଠୀ ସୂଚନା ଦେଇଛନ୍ତି ।




















