ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ସାଧାରଣ ନିର୍ବାଚନରେ ୪ ବିଧାୟକ ଓ ଏକମାତ୍ର ସାଂସଦ ହରାଇଥିବା ବିଜେଡି ବିଭିନ୍ନ ସମୟରେ ନେତା ଓ କର୍ମୀଙ୍କୁ ହରାଇ ଚାଲିଛି । ବିଜେଡି ନେତା ଓ କର୍ମୀ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । କିଛି ପଞ୍ଚାୟତ ସମିତି ମଧ୍ୟ ବିଜେଡି ହାତରୁ ଖସି ଯାଇ ସାରିଛି । ଆଗକୁ ଆଉ କିଛି ପଞ୍ଚାୟତ ସମିତି ବିଜେଡି ଝୁଲାରୁ ବିଜେପି ଝୁଲାକୁ ଯିବ ବୋଲି ଆଲୋଚନା ହେଉଥିଲା । ହେଲେ ବିଜେପି ସମିତି ହାତେଇବା ପୂର୍ବରୁ ଜିଲ୍ଲା ପରିଷଦକୁ ଆଜି ଦଖଲ କରି ନେଇଛି । ଯାହା ବିଜେଡି ନେତା ଓ କର୍ମୀଙ୍କୁ ସ୍ତବ୍ଧ ଚକିତ କରି ଦେଇଛି । ଗତ କାଲି ସକାଳୁ ବିଜେଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ନିଲମ୍ବିତ କରିଥିଲା । ଏହା ପରେ ଅଧ୍ୟକ୍ଷାଙ୍କୁ ବି ଦଳ ନିଲମ୍ବିତ କରିଥିଲା ଦଳ। ଦଳ ଵିରୋଧି କାର୍ଯ୍ୟପାଇଁ ଦଳ ଉଭୟଙ୍କୁ ନିଲମ୍ବିତ କରିଥିଲା ବେଳେ ଏହା ପରେ ଅଧ୍ୟକ୍ଷା ବିଜେଡିରୁ ଇସ୍ତଫା ଦେଇଥିଲେ ନଳିନୀ ପ୍ରଭା ଜେନା । ଜିଲ୍ଲା ରାଜନୀତିରେ କିଛି ଗୋଟେ ବଡ଼ ପରିବର୍ତ୍ତନ ହେବାର ଅଭାଷ ଏହା ଦେଉଥିଲା । ଏହାରି ଭିତରେ କିନ୍ତୁ ବିଜେପି ନିଜ ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜନ କରି ସାରିଥିଲା । ଜିଲ୍ଲା ବିଜେପିର ନେତୃମଣ୍ଡଳୀ ଭୁବନେଶ୍ୱରରେ ପହଞ୍ଚିବା ପରେ ମିଶ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ବେଳେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ, ବରିଷ୍ଠ ନେତା ଗୌତମ ରାୟ, ବିଂଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ, ବରୀ ବିଜେପି ନେତା ଉମେଶ ଜେନା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଦଳ ସଭାପତି ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଅବଶ୍ୟ ପୂର୍ବରୁ କିଛି ଜିଲ୍ଲା ପରିଷଦ ସଭ୍ୟ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ଆଜି ସେଠାରେ ଉପସ୍ଥିତ ଥିଲେ । ଗତକାଲି ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ବିଜେଡି ହାତରେ ଥିଲା ବେଳେ ଆଜି ଠାରୁ ବିଜେପି ହାତକୁ ଚାଲି ଯାଇଛି । ଏକଦା ବିଜେଡିର ଏହି ଗଡ଼କୁ ବିଜେପି ଧିରେ ଧିରେ ନିଜ ଅଧୀନକୁ ନେଇ ଚାଲିଛି । ଅନ୍ୟ ପକ୍ଷରେ ବିଜେଡିର ବଡ଼ ନେତା ମାନେ ବିଜେଡି ସଙ୍ଗଠନ ସଜାଡିବା ବଦଳରେ ନିରବ ହୋଇ ଦେଖିବା ସାର ହୋଇଛି ।
ମିଶ୍ରଣ ପର୍ବରେ ମନ୍ତ୍ରୀ ଅନୁପସ୍ଥିତ
ଗତ କାଲିର ମିଶ୍ରଣ ପର୍ବରେ ଜିଲ୍ଲାର ଏକ ମାତ୍ର ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଯାହା ଚର୍ଚ୍ଚାର ବିଷୟ ହୋଇଛି । ଦଳର ଏତେବଡ଼ କାର୍ଯ୍ୟକ୍ରମରେ ସେ କିଭଳି ଅନୁପସ୍ଥିତ ରହିଲେ ତାହା ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ତାଙ୍କୁ ନେଇ ଜିଲ୍ଲା ବିଜେପି ମଧ୍ୟରେ ସବୁ କିଛି ଠିକ ଠାକ ନାହିଁ ବୋଲି ଯେଉଁ ଆଲୋଚନା ହେଉଥିଲା ତାହା ଏକ ପ୍ରକାର ପ୍ରମାଣିତ ହୋଇଛି । ଗତ କାଲିର କାର୍ଯ୍ୟକ୍ରମର ସୂତ୍ରଧର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଥିଲା ବେଳେ ହିମାଂଶୁଙ୍କ ସହିତ ଭଲ ସଂପର୍କ ନଥିବାରୁ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି ବିଜେପି ଦଳରେ ।




















