ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍-୨୦୨୫ ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚାରି ଖେଳାଳି ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନା ରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ତଥା ରାଜ୍ୟ ପାଇଁ ଅତୁଳନୀୟ ଗୌରବ ଆଣିଛି। ସେମାନଙ୍କର ଏହି ମହାନ ସଫଳତା ପାଇଁ ପ୍ରତ୍ୟେକଙ୍କୁ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ କ୍ରୀଡା ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଆପଣମାନଙ୍କର ନିଷ୍ଠା, ଅଧ୍ୟବସାୟ ଓ ଖେଳ ପ୍ରତି ଥିବା ଦୃଢ଼ ଇଚ୍ଛାଶକ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ। ଆପଣମାନଙ୍କ ସଫଳତା ପ୍ରମାଣ କରେ ଯେ ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ସବୁ ବାଧାବିଘ୍ନକୁ ଅତିକ୍ରମ କରିହେବ। ମୁଁ ଆଶା କରୁଛି, ଏହି ବିଜୟ ଯାତ୍ରା ଆତ୍ମବିଶ୍ୱାସ ସହ ଆଗକୁ ମଧ୍ୟ ଜାରି ରହିବ । ଖେଳ ଜଗତରେ ଓଡ଼ିଶାର ନାମକୁ ଏହିପରି ଉଜ୍ଜ୍ୱଳ କରି ଚାଲନ୍ତୁ। ସମସ୍ତଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।




















