ଓଡ଼ିଶା ଲିଡ୍ସ( ଯାଜପୁର): ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ଏହି ଏକ ବର୍ଷ ମଧ୍ୟରେ ବିଜେପି ସରକାର ମହିଳା ମାନଙ୍କୁ ବଡ଼ ଭେଟି ଦେଇଛି । ସାରା ଦେଶରେ ମହିଳା ମାନଙ୍କ ପ୍ରତି ଯେଉଁ ଅନ୍ୟାୟ ଓ ଅତ୍ୟାଚାର ହେଉଛି ରାଜ୍ୟରେ ତାର ହାର ଆଠ ମାସ ମଧ୍ୟରେ ୮ ପ୍ରତିଶତ ଅଧିକ ରହିଛି । ଆଠମାସ ମଧ୍ୟରେ ରାଜ୍ୟର ୩୪୨୦ ମହିଳା ଅତ୍ୟାଚାରର ଶିକାର ହୋଇଛନ୍ତି । ନାରୀ ମାନେ ଆଜି ରାଜ୍ୟରେ ସର୍ବାଧିକ ଅସୁରକ୍ଷିତ । କେବଳ ଏତିକି ନୁହେଁ ଏକ ବର୍ଷ ମଧ୍ୟରେ ରାଜ୍ୟର ୮୪୦୩ ଜଣ ଶିଶୁ ହଜି ଯାଇଛନ୍ତି । ଏହା ଗଭୀର ଚିନ୍ତାର ବିଷୟ । ଆଜି ମା ଟିଏ ନିଜେ ଅସୁରକ୍ଷିତ ହୋଇ ପଡ଼ିଥିଲା ବେଳେ ନିଜ ପିଲା ମାନଙ୍କୁ ପଦାକୁ ଛାଡିବାକୁ ଭୟ କରୁଛି । ଗୃହ ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଥିଲା ବେଳେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଜରୁରୀ ହୋଇଛି । କେବଳ ଏତିକି ନୁହେଁ ଥାନା, ତହସିଲ ଏବେ ବିଜେପି କର୍ମୀଙ୍କ ଆଡ୍ଡାରେ ପରିଣତ ହୋଇଛି । ସାଧାରଣ ଲୋକଟିଏ ଥାନାରେ ନ୍ୟାୟ ପାଉନାହିଁ । ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି । ଯାଜପୁର ସବୁ ବେଳେ ରାଜ୍ୟକୁ ବାର୍ତା ଦେଇଛି । ଆଜିବି ଯାଜପୁର ବାର୍ତା ଦେଉଛି । ରାଜ୍ୟରେ ଭାଇଚାରା ହଜି ଯାଇଛି । ମହିଳା ଓ ଶିଶୁ ଅସୁରକ୍ଷିତ । ଏ ସରକାର ସ୍ଥାଣୁ ପାଲଟି ଯାଇଛି । ଏହି ଭଳି କହି ଆଜି ଯାଜପୁରରେ ଆୟୋଜିତ ମହିଳା ସମାବେଶରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ଏକ ବର୍ଷର ନୀରବତା ଭାଙ୍ଗି ବିଜେଡି ଏବେ ଆନ୍ଦୋଳନ କରି ମୋହନ ମାଝୀଙ୍କ ବିଜେପି ସରକାରକୁ ଘେରିବା ଆରମ୍ଭ କରିଛି । ଗତ ୬ ତାରିଖ ଦିନ ସରକାର ବିରୁଦ୍ଧରେ ବିଗୁଲ ବଜାଇ ସୁକିନ୍ଦାରେ ହାଇ ଭୋଲ୍ଟେଜ କଳା ଦିବସ ପାଳନ କରିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । କଳା ଦିବସର ସଫଳତା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ସୁପ୍ତ ବିଜେଡିରେ ପ୍ରାଣ ଭରିଥିଲା ।କଳା ଦିବସ ପରେ ଆଜି ଯାଜପୁର ଜିଲ୍ଲାରେ ବିଜେଡି ଆଉ ଏକ ବିଶାଳ ସଭାର ଆୟୋଜନ କରିଥିଲା ।
ଯାଜପୁର ନିର୍ବାଚନ ମଣ୍ଡଳୀ ବରୁଆଁ ମେଳଣ ଓଡ଼ିଆରେ ଆୟୋଜିତ ହୋଇଥିଲା ମହିଳା ସମାବେଶ । ଏହି ସଭାରେ ରାଜ୍ୟର ମହିଳା ନେତ୍ରୀ ମାନଙ୍କ ସହିତ ଅନ୍ୟ ନେତୃବୃନ୍ଦ ଯୋଗଦାନ କରି ବିଜେପି ସରକାର ଏକ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ଭରସା ହରାଇଥିବା କହିଥିଲେ । ଏକ ବର୍ଷ ମଧ୍ୟରେ ରାଜ୍ୟରେ ମହିଳା ଓ ଶିଶୁ ବେଶି ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ବାଢିଥିଲେ । ସରକାର ସ୍ଥାଣୁ ହୋଇ ଯାଇଛି । ରାଜ୍ୟରେ ବିକାଶ କାର୍ଯ୍ୟ ଆଉ ଆଗେଇ ପାରୁନାହିଁ । ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ ରାଜ୍ୟ ବିଜେଡି ନେତୃବୃନ୍ଦ । ଆଜିର ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗଦାନ କରିଥିଲେ ।